ଜଗତସିଂହପୁର : ପାରାଦୀପରୁ ଲୁହାପଥର ବୋଝେଇ କରି ଚୀନ୍ ଯାଉଥିବା ଜାହାଜ ‘ଓସେନ୍ ୱିନର୍’ ସମୁଦ୍ରରେ ନିଖୋଜ ହୋଇଯାଇଛି। ଜାହାଜ ସହ ଯୋଗାଯୋଗ ସମ୍ଭବ ହୋଇପାରୁ ନଥିବା ବେଳେ ଏହା କୌଣସି ପ୍ରକାର ଦୁର୍ଘଟଣାର ଶିକାର ହୋଇ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ ପାଖାପାଖି ୭୫ ହଜାର ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏହି ଜାହାଜ ୨୦ ତାରିଖ ରାତି ପ୍ରାୟ ସାଢ଼େ ଦଶଟା ବେଳେ ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚୀନ ଅଭିମୁଖେ ବାହାରି ଥିଲା। ପାନାମା ପତାକା ଥିବା ଏହି ଜାହାଜରେ ୨୦ ଜଣ ଚୀନ୍ ନାଗରିକ, ଜଣେ ବାଂଲାଦେଶୀ ଓ ୩ ଜଣ ମ୍ୟାମାର୍ ନାଗରିକ ଏଭଳି ମୋଟ ୨୪ ଜଣ କର୍ମଚାରୀ ଥିବା କୁହାଯାଉଛି। ଜାହାଜଟି ପାରାଦୀପରୁ ୨୪୦ ନଟିକାଲ୍ ମାଇଲ୍ ତଥା ପାଖାପାଖି ୩୭୦ କିଲୋମିଟର ଅତିକ୍ରମ କରିବା ପରେ ଗତକାଲି ରାତି ୧୨ଟା ୧୮ ପରଠାରୁ ଜାହାଜ ସହ ଆଉ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିଲା। ଆଣ୍ଡାମାନ ନିକୋବର ଦୀପପୁଞ୍ଜ ପାଖାପାଖି କୌଣସି ସ୍ଥାନରେ ଏହା ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ଅଗଷ୍ଟ ୫ ତାରିଖରେ ଏହି ଜାହାଜଟି ପାରାଦୀପ ବନ୍ଦରକୁ ଆସିଥିଲା। କିନ୍ତୁ ବର୍ଥରେ ସ୍ଥାନ ନ ଥିବାରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରେ ଜାହାଜକୁ ଅପେକ୍ଷା କରିବାକୁ ପଡ଼ିଥିଲା। ଅଗଷ୍ଟ ୨୦ ତାରିଖରେ ଲୁହାପଥର ବୋଝେଇ କରି ଜାହାଜଟି ପାରାଦୀପ ବନ୍ଦର ଛାଡ଼ିଥିଲା। ଭୁବନେଶ୍ବରରୁ କୋଷ୍ଟଗାର୍ଡ ଟିମ୍ ଓ ହେଲିକପ୍ଟର ଘଟଣାସ୍ଥଳକୁ ଯାଇଛି। ଜାହାଜକୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ ହୋଇଥିବା ବେଳେ ବିଶାଖାପାଟଣା ପଟୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ଲୁହାପଥର ବୋଝେଇ ଜାହାଜଟି ୧୦.୫ ନଟ୍ ବେଗରେ ଆଗକୁ ବଢ଼ୁଥିଲା। ପ୍ରଚୁର ମାଲ୍ ବୋଝେଇ ହୋଇଥିବାରୁ ପାଣି ଭିତରେ ୧୪.୨ ମିଟର ପର୍ଯ୍ୟନ୍ତ ବୁଡ଼ି ରହିଥିଲା। ଅଗଷ୍ଟ ୨୭ ତାରିଖ ସକାଳ ୭.୩୦ ସୁଦ୍ଧା ଜାହାଜଟି ସିଙ୍ଗାପୁର ବନ୍ଦରରେ ପହଞ୍ଚିବାର ଥିଲା। ତେବେ ୨୧ ତାରିଖ ରାତିରୁ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
