ସଫଳତା ପାଇଁ ପରିଶ୍ରମ ଏବଂ ଅନୁଶାସନର ଭୂମିକା

ରାଜ୍ୟ
Spread the love

ସଞ୍ଜୟ କୁମାର ଦାଶ

ସଫଳତା ଗୋଟିଏ ଅସୀମ ଶକ୍ତିର ପରାକାଷ୍ଠା ଅଟେ, ଯେଉଁ ପରାକାଷ୍ଠାର ବିକାଶ ଓ ନିର୍ମାଣ ଏକ ଭିତ୍ତିଭୂମି ଉପରେ ଦଣ୍ଡାୟମାନ ; ସେହି ଭିତ୍ତିଭୂମି ବୋଧେ ଜଣା ଅଜଣା ଭିତରେ ରେଖାଗାମୀ ହୁଏ । ଜଣେ ଛାତ୍ର ଜୀବନରେ ଏହି ଜଣା ଅଜଣା ଭିତରେ ସେ ଛନ୍ଦି ହୋଇଯାଏ, ଜାଣି ପାରେନି କଣ କରିବ ? କଣ ତାର ଆଗମୀ ଭବିଷ୍ୟତ ରହିବ?
ଏହି ସମସ୍ତ ସମସ୍ୟାର ଏକମାତ୍ର ସରଳ ସମାଧାନ ହୋଇଥାଏ କଠିନ ପରିଶ୍ରମ।
କଠିନ ପରିଶ୍ରମ ଏକ ପ୍ରକାର ଚାବି କାଠି ଯାହା ବଡ଼ ବଡ଼ ଶକ୍ତ ଚାବିର ଦ୍ଵାରକୁ ଖୋଲିବାରେ ସକ୍ଷମ ହୋଇଥାଏ । ଉନ୍ମେଷ ଘଟାଇଥାଏ ନୂଆ ସମ୍ଭାବନା ଓ ସଞ୍ଚାର କରେ ନବଦୀପ୍ତ ଆଶା, ଯାହା ଫଳରେ ବିକଶିତ ହୁଏ
ସମୃଦ୍ଧି ଓ ପ୍ରଗତି ।

ଅନେକ ଆଶା ଓ ଆଶଙ୍କାକୁ ଦୃଷ୍ଟିରେ ରଖି ଯେତେବେଳେ ଶତ ଚେଷ୍ଟା କରାଯାଏ ଉପଲବ୍ଧି ନିଶ୍ଚିତ ଭାବେ ସଫଳତାର ରୂପ ନିଏ , ଆଧାର ସାଜିଥାଏ ପରିଶ୍ରମ। ଜଣେ ଚାଷୀ ଯେତେବେଳେ ତାର ଫସଲର ଉନ୍ନତି ତଥା ଅଭିବୃଦ୍ଧିକୁ ଲକ୍ଷ୍ୟ କରେ, ସେତେବେଳେ କେବଳ ହିଁ କେବଳ ଆବଶ୍ୟକ ହୋଇଥାଏ ତାର ବାର ମାସରେ କରିଥିବା ଅକ୍ଳାନ୍ତ ପରିଶ୍ରମ ଯାହା ତାକୁ ଦେଇଥାଏ ପରବର୍ତ୍ତୀ ସମୟରେ ଶାନ୍ତି।।

ଅନୁଶାସନ ହୋଇଛି ଆଶିଷ: ପରାଧୀନ ଜୀବନ ଯେ କେତେ କଷ୍ଟକର ତାହା ଜଣେ ପକ୍ଷୀ ଅନୁଭବ କରିପାରେ। ତାର ଜୀବନରେ ନା ଥାଏ ସ୍ଵତନ୍ତ୍ରତା, ନା ଥାଏ ସ୍ଵାଧୀନତା ଥାଏ କେବଳ ଥାଏ ଯନ୍ତ୍ରଣା। ବେଳେ ବେଳେ ଯାତ୍ରା ସମୟରେ ଆମେ ଧାଡ଼ି କରି ଯାଇଥାଉ, ପ୍ରାର୍ଥନା କରିବା ସମୟରେ ମଧ୍ୟ ଆବଶ୍ୟକ ପଡେ ଶୃଙ୍ଖଳା ଧାଡ଼ି ମଧ୍ୟରେ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୁଏ; ଠିକ୍ ସେହିପରି ଅନୁଶାସନ ଗୋଟିଏ ବ୍ରାହ୍ମୀ ପତ୍ର ଅଟେ ଯାହା ଆଶିଷ ରୂପେ ଚିର ଦିନ ପାଇଁ ସ୍ମୃତି ଶକ୍ତିକୁ ସତେଜ କରାଏ। ଉଚିତ୍ ଶିକ୍ଷା, ଦିଗ ଦର୍ଶନ, ମହାନ ଅନୁଭବୀଗଣଙ୍କ ଆଦର୍ଶ ଓ ଶୃଙ୍ଖଳାଜ୍ଞାନ ଅନୁଶାସନର ଗୋଟିଏ ଗୋଟିଏ ମାଧ୍ୟମ ହୋଇଥାଏ । ଏତତ୍ ବ୍ୟତୀତ ଜଣେ ଶିକ୍ଷାର୍ଥୀ ଜୀବନରେ ପିତାମାତା ସଦୃଶ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉଚିତ୍ ମାର୍ଗ ଓ ସଠିକ ଅନୁଶାସନ ଶିକ୍ଷାର୍ଥୀକୁ ଉନ୍ନତ ଚିନ୍ତା ଓ ଚେତନାର ଜାଗରଣକୁ ଅଭିବୃଦ୍ଧି କରିଥାଏ।

ସଫଳତା ଗୋଟିଏ ଲମ୍ବା ରାସ୍ତା ଯେଉଁଥିରେ ପଥଚାରୀ ଚାଲନ୍ତି , ନିଜ ସ୍ବପ୍ନର ପୂରଣ କରିବା ଉଦ୍ଦେଶ୍ୟରେ ପରିଶ୍ରମ ମଧ୍ଯ ଅନେକ କରନ୍ତି। ଶରୀର ପଛେ କଷ୍ଟ ପାଉ ହେଲେ ରାସ୍ତାଟି ସରିଯାଉ “ଠିକ୍ ସେହି ରାସ୍ତା ସରୁ ସରୁ ଜଣେ ହାତ ଦେଖାଇ ନିର୍ଦ୍ଦେଶ ଦିଏ, ଆଜି ଯେଉଁ ସ୍ଥାନରେ ତୁ ଅଛୁ ତାହା କେବଳ ହିଁ ସମ୍ଭବ ତୋର କଠିନ ପରିଶ୍ରମ ଓ ବିଧିବଦ୍ଧ ଅନୁଶାସନର ବଳୟ ପାଇଁ। ତୋର ଭବିଷ୍ୟତ ଅଟେ ସୁନୀଳ । ସାଧନାର ଅନ୍ତ ଘଟିଛି ଏବେ ଗୋଟିଏ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି ଯାହା ପ୍ରତ୍ୟେକ ପୃଷ୍ଠାର ତଥ୍ୟକୁ କାର୍ଯ୍ୟକାରୀ କରେଇବ ” । ଏହି ବାଣୀ ଦୃଢ଼ୀଭୂତ କରେ ଜଣେ ଶିକ୍ଷାର୍ଥୀ ଜୀବନକୁ ଓ ମହାନ ଭାବଧାରାରେ ଆଗେଇ ନିଏ ଖୁସି ସାଉଁଟି ସାଉଁଟି।

ଠିକଣା: ଶିଶୁ ଭବନ ଛକ, ବାପୁଜୀ ନଗର,ଭୁବନେଶ୍ୱର
ଯୋଗାଯୋଗ: ୯୩୩୭୧୬୩୩୩୯

Leave a Reply

Your email address will not be published. Required fields are marked *