Supreme Court

ଚୟନ ପରେ ସରକାର ନିଯୁକ୍ତି ମନା କରିପାରିବେ ନାହିଁ: ସୁପ୍ରିମ୍‌କୋର୍ଟ ଛତିଶଗଡ଼ ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତି ରଦ୍ଦ

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ପବ୍ଲିକ ସର୍ଭିସ କମିସନ ଜଣେ ପ୍ରାର୍ଥୀଙ୍କୁ ଚୟନ କରିବା ପରେ ନିଯୁକ୍ତି କର୍ତ୍ତୃପକ୍ଷ କୌଣସି ଆଇନଗତ ଓ ସ୍ପଷ୍ଟ କାରଣ ବିନା ତାଙ୍କର ନିଯୁକ୍ତିକୁ ମନା କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଏନ୍‌. କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଛତିଶଗଡ଼ର ଏକ ସରକାରୀ ବିଶ୍ୱବିଦ୍ୟାଳୟରେ ରେଜିଷ୍ଟ୍ରାର ପଦ ପାଇଁ ମନୋନୀତ ଓବିସି ପ୍ରାର୍ଥୀ ଶୈଳେନ୍ଦ୍ର କୁମାର ପଟେଲଙ୍କ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ସରକାର ତାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇ ନିଯୁକ୍ତି ସ୍ଥଗିତ ରଖିଥିଲେ। ପୂର୍ବରୁ ଛତିଶଗଡ଼ ହାଇକୋର୍ଟ ସରକାରଙ୍କ ସପକ୍ଷରେ ଦେଇଥିବା ରାୟକୁ ସର୍ବୋଚ୍ଚ ଅଦାଲତ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରିଛନ୍ତି।
ଅଦାଲତ କହିଛନ୍ତି ଯେ, ୧୯୮୩ ବିଶ୍ୱବିଦ୍ୟାଳୟ ସେବା ନିୟମର ରୁଲ୍‌ ୧୦ ଅନୁଯାୟୀ କମିସନଙ୍କ ଦ୍ୱାରା ନିର୍ଦ୍ଧାରିତ ଯୋଗ୍ୟତା ହିଁ ଚୂଡ଼ାନ୍ତ ଅଟେ। ତେଣୁ ସରକାର କୌଣସି ବିଶେଷଜ୍ଞକମିଟି ଗଠନ କରି ମନମୁଖୀ ଭାବେ ଏହି ପ୍ରକ୍ରିୟାକୁ ପୁନଃ ଯାଞ୍ଚ କରିପାରିବେ ନାହିଁ।
ଯଦିଓ ଏହି ମନୋନୟନ ପ୍ରାର୍ଥୀଙ୍କୁ ଚାକିରି ପାଇଁ ସମ୍ପୂର୍ଣ୍ଣ ଅଧିକାର ଦିଏ ନାହିଁ, ତଥାପି ପ୍ରକ୍ରିୟାରେ ପ୍ରତାରଣା କିମ୍ବା ବଡ଼ ଧରଣର ବେଆଇନ କାର୍ଯ୍ୟ ହୋଇନଥିଲେ, କମିସନଙ୍କ ସୁପାରିସକୁ ଏଭଳି ଭିତ୍ତିହୀନ ଭାବେ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ।ପ୍ରଶାସନିକ ନିଷ୍ପତ୍ତିଗୁଡ଼ିକ ସର୍ବଦା ଆଇନଗତ ପରିସୀମା ମଧ୍ୟରେ ରହିବା ଆବଶ୍ୟକ ବୋଲି କୋର୍ଟ ସ୍ପଷ୍ଟ ସଂକେତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *