Manmohan 1 300x172

ଜୁଏଲ ଓରାମଙ୍କ ବିବାଦୀୟ ବୟାନ ପ୍ରସଙ୍ଗ: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ରାଜ୍ୟ
Spread the love

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ସାମ୍ପ୍ରତିକ ବିବାଦୀୟ ବୟାନକୁ ନେଇ ରାଜ୍ୟ ରାଜନୀତି ଗରମ ଥିବା ବେଳେ, ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ବୟାନ ସମ୍ପର୍କରେ ଦଳ ସମ୍ପୂର୍ଣ୍ଣ ଅବଗତ ଅଛି ଏବଂ ଏହି ସମ୍ବେଦନଶୀଳ ମାମଲାର ପରୀକ୍ଷା ନିରୀକ୍ଷା କରାଯିବ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଗଣମାଧ୍ୟମ ଆଗରେ କିଛି କହିବା ପୂର୍ବରୁ ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ସେ ନିଜର ଅଭିଯୋଗ ଓ ମତକୁ ଲିଖିତ ଆକାରରେ ମାନସ ମହାନ୍ତିଙ୍କ ପାଖରେ ଉପସ୍ଥାପନ ମଧ୍ୟ କରିଛନ୍ତି।
ମନମୋହନ ସାମଲ କହିଛନ୍ତି ଯେ, କାହାର ନାଁ ନନେଇ ଜୁଏଲ ଓରାମ ନିଜ ଦଳର ନେତାଙ୍କ ବିରୋଧରେ ଯେଉଁ ସାଂଘାତିକ ବୟାନ ଦେଇଛନ୍ତି, ତାହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ। ଦଳୀୟ ସ୍ତରରେ ଏହାକୁ ଗୁରୁତ୍ୱର ସହ ନିଆଯାଉଛି। ଜୁଏଲ ଓରାମ ଯେଉଁସବୁ ବିଷୟ ଉଠାଇଛନ୍ତି, ସେହି ସମସ୍ତ ଦିଗକୁ ନେଇ ଦଳ ପକ୍ଷରୁ ସମୀକ୍ଷା ଓ ପରୀକ୍ଷା ନିରୀକ୍ଷା କରାଯିବ। ତଦନ୍ତ ପରେ ହିଁ ଦଳ ଆଗାମୀ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ନିକଟରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନାଁ ନନେଇ ନିଜ ଦଳର କିଛି ନେତାଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଖୋଲାଖୋଲି ବୟାନ ଦେଇଥିଲେ, ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା।
କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନିକଟରେ ଦଳର କିଛି ନେତା ଓ ସଙ୍ଗଠନକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେ ସିଧାସଳଖ କାହାର ନାଁ ନନେଇ ନିଜ ଦଳ ବିଜେପି ଭିତରେ ଚାଲିଥିବା କିଛି କାର୍ଯ୍ୟକଳାପକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଦଳରେ କିଛି ନେତା ଅଛନ୍ତି ଯେଉଁମାନେ ଦଳୀୟ ସଙ୍ଗଠନ ଏବଂ ନିଷ୍ଠାପର କର୍ମୀଙ୍କ ଅପେକ୍ଷା ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ବେଶୀ ଗୁରୁତ୍ୱ ଦେଉଛନ୍ତି।
ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଆସୁଥିବା ପୁରୁଣା ଓ ନିଷ୍ଠାପର କର୍ମୀମାନଙ୍କୁ କିଛି ମାଫିଆ ଓ ସ୍ୱାର୍ଥପର ନେତା କୋଣଠେସା କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଥିଲେ। ସେ କେବଳ ଗଣମାଧ୍ୟମରେ ବୟାନ ଦେଇନଥିଲେ, ବରଂ ଏହି ସବୁ ସମସ୍ୟା ଓ ଅସନ୍ତୋଷ ବାବଦରେ ବିଜେପି ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କୁ ଲିଖିତ ଆକାରରେ ମଧ୍ୟ ଜଣାଇଥିଲେ।

Leave a Reply

Your email address will not be published. Required fields are marked *