ଲକ୍ଷ୍ନୌ: ନେପାଳରେ ଭୟଙ୍କର ବନ୍ୟାରେ ଶତାଧିକ ଲୋକ ଭାସିଯାଇ ପ୍ରାଣ ହରାଇଥିବା ବେଳେ ଉତ୍ତରପ୍ରଦେଶର ଗଣ୍ଡକ (ନାରାୟଣୀ) ନଦୀରୁ ୭ ମୃତଦେହ ଉଦ୍ଧାର କରାଯାଇଛି। ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲାରେ ନଦୀରୁ ଏହିସବୁ ମୃତଦେହ ମିଳିଥିବା ସୂଚନା ମିଳିଛି। ଶୁକ୍ରବାର ସକାଳ ସୁଦ୍ଧା ଏହି ମୃତଦେହଗୁଡ଼ିକ ଉଦ୍ଧାର କରାଯାଇଥିବା ଅଧିକାରୀମାନେ କହିଛନ୍ତି।
ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ସେମାନଙ୍କ ପରିଚୟ ଚିହ୍ନଟ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ନେପାଳ ବନ୍ୟା ପରେ ଗଣ୍ଡକ ନଦୀର ଜଳପ୍ରବାହ ବଢ଼ିଛି। ଫଳରେ ମୃତଦେହଗୁଡ଼ିକ ନେପାଳରୁ ଭାସି ଆସିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ମହାରାଜଗଞ୍ଜ ଜିଲ୍ଲାର ଟେଲଫଲ ଅଞ୍ଚଳରୁ ୩ ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତଦେହ ମିଳିଛି। ନଦୀ କୂଳରେ ନଜର ରଖିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସଶସ୍ତ୍ର ସୀମା ବଳ (SSB) ଯବାନମାନେ ମୋଟରବୋଟ୍ରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ନଦୀରୁ ବାହାର କରିଛନ୍ତି। ସେହିପରି କୁଶୀନଗର ଜିଲ୍ଲାର ଛିତାଉନି ବନ୍ଧ ନିକଟସ୍ଥ ସିସୱାଗୋପାଳ ଗାଁ ନିକଟରୁ ଆଉ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାର ରାତିରେ ଗ୍ରାମବାସୀମାନେ ନଦୀରେ ୨ ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ପରେ ସେମାନେ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ଉପଖଣ୍ଡ ମାଜିଷ୍ଟ୍ରେଟ୍ ସର୍ବେଶ କୁମାର ଗୌର, ଖଡ୍ଡା ସର୍କଲ ଅଫିସର, ସ୍ଥାନୀୟ ଥାନା ଅଧିକାରୀ ଓ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ମୃତଦେହଗୁଡ଼ିକୁ ନଦୀରୁ ବାହାର କରି ମର୍ଗକୁ ପଠାଇଛନ୍ତି।
ନେପାଳରେ ପ୍ରବଳ ବର୍ଷା ଓ ବନ୍ୟା ପରେ ଗଣ୍ଡକ ନଦୀର ଜଳପ୍ରବାହ ବଢ଼ିଥିବାରୁ ଉତ୍ତରପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି। ନଦୀରେ ଭାସି ଆସୁଥିବା ମୃତଦେହଗୁଡ଼ିକ କେଉଁଠାରୁ ଆସିଛି ଏବଂ ମୃତକମାନଙ୍କ ପରିଚୟ କ’ଣ, ସେନେଇ ତଦନ୍ତ ଜାରି ରହିଛି।
