ବାଙ୍କୀରେ ଅବକାରୀ ବିଭାଗର ଚଢ଼ାଉ: ୪୪ ଗ୍ରାମ ବ୍ରାଉନସୁଗାର ସହ ଯୁବକ ଗିରଫ, ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ରାଜ୍ୟ
Spread the love

ବାଙ୍କୀ: କଟକ ଜିଲ୍ଲାରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଜୋରଦାର କାର୍ଯ୍ୟାନୁଷ୍ଠାନ। ବୁଧବାର କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ବାଙ୍କୀ ଥାନା ଅନ୍ତର୍ଗତ ପଥୁରିପଦା ଗ୍ରାମସ୍ଥିତ ଶିବ ମନ୍ଦିର ନିକଟରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଉକ୍ତ ସ୍ଥାନରେ ନିଶା ଚୋରା ଚାଲାଣ ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମୋବାଇଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଚଢ଼ାଉ ବେଳେ ବିଜୟ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି ବ୍ରାଉନସୁଗାର ଚାଲାଣ କରୁଥିବା ସମୟରେ ଧରାପଡ଼ିଥିଲେ। ତାଙ୍କ ନିକଟରୁ ୪୪ ଗ୍ରାମ ହେରୋଇନ (ବ୍ରାଉନସୁଗାର) ଜବତ କରାଯାଇଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ଏନଡିପିଏସ (NDPS) ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରାଯାଇଛି।

ଏହି ସଫଳ ଚଢ଼ାଉରେ ଅବକାରୀ ମୋବାଇଲ ୟୁନିଟ ଆଇଆଇସି ଭକ୍ତବତ୍ସଳ ବର୍ମା, ଏସଆଇ ନିରୁପମା ପ୍ରଧାନ, ଏଏସଆଇ ହରିହର ନାଏକଙ୍କ ସମେତ ଅବକାରୀ କର୍ମଚାରୀ ଅଜୟ ଜେନା, ଦେବବ୍ରତ ଓଝା, ଶଙ୍କର ସିଂ, ଲଖମଣ ବେହେରା ଓ ପ୍ରିୟତମା ରଥ ପ୍ରମୁଖ ସାମିଲ ଥିଲେ। ବିଗତ କିଛି ଦିନ ମଧ୍ୟରେ କଟକ ମୋବାଇଲ ୟୁନିଟ ବିଭିନ୍ନ ଅଞ୍ଚଳରେ ଲଗାତାର ଚଢ଼ାଉ କରି ବଡ଼ ବଡ଼ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଥିବାରୁ ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି।

Leave a Reply

Your email address will not be published. Required fields are marked *