ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ୭୪ ବର୍ଷ ଧରି ମୃତ ଅବସ୍ଥାରେ ପଡ଼ିରହିଥିବା ମହାନଦୀର ଶାଖା ନଦୀ ଶୁକପାଇକାର ପୁନରୁଦ୍ଧାର କାର୍ଯ୍ୟ ୨୦୨୩ ମସିହା ନଭେମ୍ବର ୧୦ ତାରିଖରେ ଆରମ୍ଭ ହୋଇଥିଲା। ଏହାପରେ ୨୦୨୫ ମସିହା ଜୁଲାଇ ୨୩ ତାରିଖରେ ସ୍ଲୁଇସ୍ ଗେଟ୍ ଦେଇ ମହାନଦୀର ବନ୍ୟା ଜଳ ପ୍ରଥମ କରି ପରୀକ୍ଷାମୂଳକ ଭାବେ ଶୁକପାଇକାକୁ ଛଡ଼ାଯାଇ ନଦୀର ପୁନରୁଦ୍ଧାର ସଫଳ ହେଲା ବୋଲି ପ୍ରଚାର କରାଯାଇଥିଲା। ତେବେ ସେହି ସମୟରେ ନଦୀରେ କିଛି ଦିନ ପାଣି ଛଡ଼ାଯିବା ପରେ ମୁହାଣରେ ପଥର ପ୍ୟାକିଂ କାର୍ଯ୍ୟ ଆଳରେ ପୁନର୍ବାର ଶୁକପାଇକାକୁ ଜଳପ୍ରବାହ ବନ୍ଦ କରିଦିଆଗଲା।
ଏହି କାର୍ଯ୍ୟ ପାଇଁ ପ୍ରାୟ ୫୦ କୋଟି ଟଙ୍କାର ଏକ ବଡ଼ ଧରଣର ଅର୍ଥରାଶି ବିନିଯୋଗ କରାଯାଇଥିଲା। ତେବେ ବିଭାଗୀୟ ଯନ୍ତ୍ରୀଙ୍କ ଦାୟିତ୍ୱହୀନତା ଏବଂ ଉଦାସୀନ ମନୋଭାବ ଯୋଗୁଁ ଏହି ପ୍ରକଳ୍ପ ଏପର୍ଯ୍ୟନ୍ତ ତାର ମୂଳ ଲକ୍ଷ୍ୟ ହାସଲ କରିପାରିନାହିଁ। ଫଳରେ ଏକଦା ନଦୀ ଅବବାହିକା ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳର କୃଷି, ପରିବେଶ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାର ମେରୁଦଣ୍ଡ ସାଜିଥିବା ଏହି ଜଳଉତ୍ସର ପ୍ରାକୃତିକ ପ୍ରବାହ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହାଦ୍ୱାରା ନଦୀଶଯ୍ୟା ପୋତି ହୋଇପଡ଼ିବା ସହ ବ୍ୟାପକ ଅବୈଧ ଜବରଦଖଲ ଯୋଗୁଁ ଐତିହାସିକ ନଦୀଟି ଏବେ ତାର ଅସ୍ତିତ୍ୱ ହରାଇବାକୁ ବସିଛି ବୋଲି ଶୁକପାଇକା ବଞ୍ଚାଅ ଆନ୍ଦୋଳନର ଆବାହକ ତଥା ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ପି. ସି. ରଥ ପ୍ରକାଶ କରିଛନ୍ତି।
ବୁଧବାର ସନ୍ଧ୍ୟାରେ ଶୁକପାଇକା ଅବବାହିକାରେ ଥିବା ବୋଧପୁର ଗ୍ରାମରେ ଅନୁଷ୍ଠିତ ଏକ ପ୍ରତିବାଦ ସଭା ଓ ପଦଯାତ୍ରାରେ ଯୋଗଦେଇ ଡାକ୍ତର ରଥ ଏହା କହିବା ସହ ଶୁକପାଇକାର ସୁରକ୍ଷା ତଥା ପୁନର୍ଜୀବନ ପାଇଁ ସମସ୍ତଙ୍କୁ ଏକତ୍ରିତ ହେବାକୁ ଆହ୍ୱାନ ଦେଇଥିଲେ। ସଭାରେ ଅନ୍ୟତମ ବକ୍ତା ଭାବେ ଜଳସମ୍ପଦ ବିଭାଗର ପ୍ରାକ୍ତନ ମୁଖ୍ୟ ଯନ୍ତ୍ରୀ ସନ୍ତୋଷ ସ୍ୱାଇଁ ଯୋଗଦେଇ କହିଥିଲେ ଯେ, ଏହି ନଦୀର ପରିଚାଳନା ଦାୟିତ୍ୱ ଡ୍ରେନେଜ୍ ବିଭାଗ ବଦଳରେ ମହାନଦୀ ସାଉଥ୍ ଡିଭିଜନକୁ ତୁରନ୍ତ ହସ୍ତାନ୍ତର କରାଯିବା ଆବଶ୍ୟକ। ଏଥିସହ ସେଠାରେ ଥିବା ସ୍ଲୁଇସକୁ ହଟାଇ ନଦୀରେ ପ୍ରାକୃତିକ ଭାବେ ନିରବଚ୍ଛିନ୍ନ ଜଳପ୍ରବାହ ଜାରି ରଖିବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମରେ ହୃଷୀକେଶ ଜେନା, ପୂର୍ବତନ ସରପଞ୍ଚ ଗିରିଜା ଶଙ୍କର ଦାସ ଓ ପ୍ରାକ୍ତନ ବିଡ଼ିଓ ଶିଶିର ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶୁକପାଇକା ବଞ୍ଚାଅ ଆନ୍ଦୋଳନ କମିଟିର ସାଧାରଣ ସମ୍ପାଦକ ରୋଶନ ରଥ ମଞ୍ଚ ସଞ୍ଚାଳନ କରିଥିଲେ।
ସଭା ଶେଷ ହେବା ପରେ ତତଲାପଦା ଛକରୁ ଏକ ବିଶାଳ ପଦଯାତ୍ରା ବାହାରିଥିଲା। ଏଥିରେ ନୃସିଂହ ପ୍ରସାଦ ଦାସ, ଅରବିନ୍ଦ ମହାନ୍ତି, ସନ୍ତୋଷ ଦାସ, ଅଭିତ ରଥ, ବସନ୍ତ ରଥ, ବିଶ୍ୱନାଥ ବସ୍ତିଆ, ସକିଲ ଅହମ୍ମଦ, ମାନସ ମିଶ୍ର, ବିକାଶ ପାତ୍ର, ବାପି ମଲ୍ଲିକ, ଦୁର୍ଗା ଶଙ୍କର ତ୍ରିପାଠୀ, ଗୋବର୍ଦ୍ଧନ ଖୁଣ୍ଟିଆ ପ୍ରମୁଖଙ୍କ ସହ ଶତାଧିକ ଅଞ୍ଚଳବାସୀ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିବା ସହିତ ସମଗ୍ର ଅଞ୍ଚଳ ପରିକ୍ରମା କରିଥିଲେ।
