ନୂଆଦିଲ୍ଲୀ, ୨୩/୧୦: ଏସଆଇଆରକୁ ବିରୋଧ ସହ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଅନ୍ୟ କେତେକ ଦାବିରେ ଶୁକ୍ରବାର ‘ପିପୁଲ ଏଗେନଷ୍ଟ ଏସଆଇଆର’ ମଞ୍ଚ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। ଗତ ସପ୍ତାହରେ ଏହି ମଞ୍ଚ ଗଠନ ହେବା ପରେ ପ୍ରଥମ ଥର ଲାଗି ପ୍ରଦର୍ଶନ କରିବାକୁ ଯାଉଛି। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସମେତ ଗଣସଙ୍ଗଠନ, ନାଗରିକ ସମାଜ, ଚାଷୀ, ଶ୍ରମିକ, ମହିଳା ଓ ଯୁବ ସଙ୍ଗଠନ ଏବଂ ଛାତ୍ର ସଂଘ ସାମିଲ ହେବେ।
ଏସଆଇଆର ବିରୋଧୀଙ୍କୁ ଏକାଠି କରିବା ଲାଗି ଗତ ୧୪ ତାରିଖରେ ନୂଆଦିଲ୍ଲୀର ସୁରଜିତ ଭବନରେ ଏହି ମଞ୍ଚ ଗଠନ ନେଇ ଘୋଷଣା କରାଯାଇଥିଲା। ଆୟୋଜକଙ୍କ ପକ୍ଷରୁ ବିଭିନ୍ନ ସଙ୍ଗଠନର ପ୍ରତିନିଧିମାନଙ୍କୁ ହାତରେ ତ୍ରିରଙ୍ଗା ଧରି ନିଜ ନିଜ ଅଞ୍ଚଳର ଜିଲ୍ଲା, ତହସିଲ ଓ ରାଜ୍ୟ ରାଜଧାନୀରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ ସହ ରାଲି ଓ ଶୋଭାଯାତ୍ରା ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି। ସୂଚନା ଅନୁସାରେ, ନୂଆଦିଲ୍ଲୀରେ ହେବାକୁ ଥିବା ଏହି ଆନ୍ଦୋଳନରେ ସିଜେପି ମୁଖ୍ୟ ଅଭିଜିତ ଦିପକେ, ଛାତ୍ର ନେତ୍ରୀ ନେହା ବୋରା ଓ ଆଇଶି ଘୋଷ, ଆଡଭୋକେଟ ପ୍ରଶାନ୍ତ ଭୂଷଣ, ଚାଷୀ ନେତା ରାକେଶ ଟିକାୟତ, ଅଭିନେତା ପ୍ରକାଶ ରାଜ ଓ ଲେଖକ ତୁଷାର ଗାନ୍ଧୀ ପ୍ରମୁଖ ସାମିଲ ହେବେ। ତେବେ ଏଥିରେ ଇଣ୍ଡି ମେଣ୍ଟ ସାମିଲ ହେବ କି ନାହିଁ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।
ତେବେ ଏହି ଆନ୍ଦୋଳନ ଲାଗି ଦିଲ୍ଲୀ ପୁଲିସ ଠାରୁ କୌଣସି ଅନୁମତି ନିଆଯାଇନାହିଁ। ଯାହାଫଳରେ ଆନ୍ଦୋଳନକୁ ନେଇ ପ୍ରବଳ ହଙ୍ଗାମା ଓ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ରହିଛି। କାରଣ ନୂଆଦିଲ୍ଲୀ ଅଞ୍ଚଳରେ ପୂର୍ବରୁ ଆନ୍ଦୋଳନ ପରିପ୍ରେକ୍ଷୀରେ ଜାରି କରାଯାଇଥିବା ବିଏନଏସର ଧାରା ୧୬୩ ଏବେ ମଧ୍ୟ ବଳବତ୍ତର ରହିଛି। ଯାହାଫଳରେ ପୁଲିସ ୫ ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦେବ ନାହିଁ। ଆନ୍ଦୋଳନକାରୀମାନେ ଏକାଠି ହେବାକୁ ପୁଲିସ ରୋକିବ ଏବଂ ଆବଶ୍ୟକ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବାର ସମ୍ଭାବନା ରହିଛି।
ସେପଟେ ପ୍ଲାଟଫର୍ମ ପକ୍ଷରୁ ପୂର୍ବରୁ କୁହାଯାଇଛି ଯେ, ଗଣତନ୍ତ୍ରର ସୁରକ୍ଷା ପାଇଁ ହିଁ ଲୋକମାନେ ଏହି ଆନ୍ଦୋଳନରେ ସାମିଲ ହେଉଛନ୍ତି। ତେଣୁ ଏହି ଆନ୍ଦୋଳନ ଲାଗି କୌଣସି ଆଗୁଆ ଅନୁମତିର ଆବଶ୍ୟକତା ନାହିଁ। ଶାନ୍ତିପୂର୍ଣ୍ଣ ଭାବେ ଏହି ଆନ୍ଦୋଳନ କରାଯିବ ଏବଂ ଏହି ସମୟରେ କୌଣସି ପ୍ରକାର ବଳପ୍ରୟୋଗ ନ କରିବାକୁ ଆୟୋଜକଙ୍କ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି।
