ନୂଆଦିଲ୍ଲୀ: ନ୍ୟୁକ୍ଲିୟର ପ୍ଲାଣ୍ଟରେ ସଫ୍ଟୱେର୍ କ୍ରାସ୍ ଓ ସାଇବର୍ ଆକ୍ରମଣ ଭଳି ବିପଦରୁ ବର୍ତ୍ତିବା ଲାଗି ଭାରତରେ ଏକ ନୂତନ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯାଉଛି। ରୁଷିଆରେ ନିର୍ମିତ ଏହି ହାର୍ଡୱେର୍-ଆଧାରିତ ପ୍ରଯୁକ୍ତି ଏବେ ତାମିଲନାଡୁସ୍ଥିତ ନ୍ୟୁକ୍ଲିୟର ପ୍ଲାଣ୍ଟରେ ସ୍ଥାପନ କରାଯାଉଛି। ରୁଷିଆର ପରମାଣୁ ଶକ୍ତି କମ୍ପାନୀ ‘ରୋସାଟମ୍’ ନିକଟରେ କୁଡାନକୁଲମ ପରମାଣୁ ବିଦ୍ୟୁତ୍ ପ୍ଲାଣ୍ଟ ପାଇଁ ଏହି ନୂଆ ପ୍ରଯୁକ୍ତି ଆଧାରିତ ସୁରକ୍ଷା ଉପକରଣ ଯୋଗାଇ ଦେଇଛି।
ଏହି ପ୍ରଯୁକ୍ତି ଜରୁରୀକାଳୀନ ପରିସ୍ଥିତିରେ ବିନା ମାଇକ୍ରୋପ୍ରୋସେସର୍ ଓ ସଫ୍ଟୱେର୍ରେ ସୁଚାରୁ ରୂପେ କାର୍ଯ୍ୟ କରିପାରିବ। ସଫ୍ଟୱେର୍ ଉପରେ ଅତ୍ୟଧିକ ନିର୍ଭରଶୀଳତା ଦୂର କରିବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ। ଫଳରେ ସାଇବର୍ ଆକ୍ରମଣ ଭଳି କୌଣସି ଘଟଣା ଘଟିଲେ ମଧ୍ୟ ପ୍ଲାଣ୍ଟର ସୁରକ୍ଷା ବ୍ୟବସ୍ଥା ଆଦୌ ପ୍ରଭାବିତ ହେବ ନାହିଁ। କୁଡାନକୁଲମର ପ୍ରଥମ ୟୁନିଟ୍ ସଞ୍ଚାଳନରୁ ମିଳିଥିବା ଅଭିଜ୍ଞତାକୁ ଭିତ୍ତି କରି ନୂତନ ୟୁନିଟ୍ ଗୁଡ଼ିକ ଲାଗି ଏହି ଉନ୍ନତ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି। ଏହି ନୂଆ ସିଷ୍ଟମରେ ‘ନନ୍-ପ୍ରୋଗ୍ରାମେବଲ୍ ମଡ୍ୟୁଲ୍’ ବ୍ୟବହାର କରାଯାଉଛି, ଯାହାକି ସିଧାସଳଖ ହାର୍ଡୱେର୍ ସର୍କିଟ୍ ମାଧ୍ୟମରେ କାର୍ଯ୍ୟ କରିଥାଏ। ଏହା ଦ୍ୱାରା ଯାନ୍ତ୍ରିକ ତ୍ରୁଟି ଅଥବା ସଫ୍ଟୱେର୍ କ୍ରାସ୍ ହେବା ସ୍ଥିତିରେ ମଧ୍ୟ ପ୍ଲାଣ୍ଟର ସୁରକ୍ଷା ଉପରେ କୌଣସି ଆଞ୍ଚ ଆସିବ ନାହିଁ।
ଯଦି ରିଆକ୍ଟରରେ ନିର୍ଦ୍ଧାରିତ ସୀମାଠାରୁ ତାପମାତ୍ରା କିମ୍ବା ଚାପ ଅତ୍ୟଧିକ ବୃଦ୍ଧି ପାଏ, ତେବେ ଏହି ସିଷ୍ଟମ୍ ସ୍ୱୟଂକ୍ରିୟ ଭାବେ ସକ୍ରିୟ (ଆକ୍ଟିଭେଟ୍) ହୋଇ ବୋରନ୍ ଇଞ୍ଜେକ୍ସନ୍ ପମ୍ପ ଭଳି ଜରୁରୀକାଳୀନ ଉପକରଣକୁ ତୁରନ୍ତ ନିର୍ଦ୍ଦେଶ ପ୍ରେରଣ କରିଥାଏ। ଏହା ଫଳରେ ରିଆକ୍ଟର ଆପେ ଆପେ ଥଣ୍ଡା ହେବାକୁ ଲାଗେ ଏବଂ ଯେକୌଣସି ସମ୍ଭାବ୍ୟ ଦୁର୍ଘଟଣାର ବିପଦ ସହଜରେ ଟଳିଯାଏ। ଏହି ନୂତନ ପ୍ରଣାଳୀରେ କୌଣସି ପ୍ରୋଗ୍ରାମିଂ ବିନା କେବଳ ସ୍ୱତନ୍ତ୍ର ହାର୍ଡୱେର୍ ସର୍କିଟ୍ ରହିଥିବାରୁ, ଏହାର ସୁରକ୍ଷା ବ୍ୟବସ୍ଥା ଉପରେ ବାହାରୁ କୌଣସି ପ୍ରକାରର ଡିଜିଟାଲ୍ କିମ୍ବା ସାଇବର୍ ଆକ୍ରମଣ କରିବା ଆଦୌ ସମ୍ଭବପର ହେବ ନାହିଁ।
