ନୂଆଦିଲ୍ଲୀ, ୨୩/୧୦: ଥରିଲା ତିବ୍ଦତ। ଲାଗିଲା ଜୋରଦାର ଭୂମିକମ୍ପର ଝଟକା। ଗୁରୁବାର ବିଳମ୍ବିତ ରାତିରେ ତିବ୍ଦତର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏଥିରେ ୧୬ ଜଣ ପ୍ରାଣ ହରାଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି।
ରିପୋର୍ଟ ଅନୁସାରେ, ହିମାଳୟ କ୍ଷେତ୍ର ତିବ୍ଦତରେ ଶକ୍ତିଶାଳୀ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୭.୦ ବୋଲି ରେକର୍ଡ କରାଯାଇଛି। ଭାରତର ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି ଅନୁସାରେ, ଭାରତୀୟ ସମୟ ରାତି ୮ଟା ୦୩ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମେ ଏହି ଭୂକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୭୩ କିଲୋମିଟର ଗଭୀରରେ ଥିବା ନେଇ ସୂଚନା ଦିଆଯାଇଥିଲା। କିନ୍ତୁ ନୂଆ ସୂଚନା ଅନୁସାରେ, ଏହାର କେନ୍ଦ୍ର ଭୂପୃଷ୍ଠ ଠାରୁ ମାତ୍ର ୧୦ କିଲୋମିଟର ଗଭୀରରେ ରହିଛି।
ଚୀନର ଭୂକମ୍ପ ନେଟୱାର୍କ କେନ୍ଦ୍ର (ସିଇଏନସି) ଅନୁସାରେ, ସ୍ଥାନୀୟ ସମୟ ରାତି ପ୍ରାୟ ୧୦ଟା ୩୩ ମିନିଟରେ ଉତ୍ତର ତିବ୍ଦତର ନାଗୁଚ କ୍ଷେତ୍ରରେ ଏହି ଭୂକମ୍ପ ହୋଇଛି। ଏହାର କେନ୍ଦ୍ର ତିବ୍ଦତର ରାଜଧାନୀ ଲାସାଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ।
ଚୀନ ପ୍ରଶାସନିକ ଅଧିକାରୀଙ୍କ ସୂଚନାନୁସାରେ, ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ଅନ୍ୟ ୨୧ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏହାସହ ଅନେକ ଘରଦ୍ୱାର ମଧ୍ୟ ଭାଙ୍ଗିରୁଜି ଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିବା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ୨୦୨୪ ଜାନୁଆରୀ ପରେ ତିବ୍ଦତରେ ଆସିଥିବା ଏହା ସବୁଠାରୁ ଶକ୍ତିଶାଳୀ ତଥା ବଡ଼ ତୀବ୍ରତାର ଭୂମିକମ୍ପ ବୋଲି କୁହାଯାଉଛି।
ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ଘଟଣା ସମ୍ପର୍କିତ ଅନେକ ଭିଡିଓ ଜାରି କରାଯାଇଛି। ଏଥିରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସୁଥିବା ଦେଖିବାକୁ ମିଳିଛି। ଅନେକ ଲୋକ ଆତଙ୍କିତ ଅବସ୍ଥାରେ ଏଣେତେଣେ ଧାଉଁଥିବା ବେଳେ ଆଉ କିଛି ଲୋକ ଭୟରେ ରାତିସାରା ଘର ବାହାରେ ଖୋଲା ଆକାଶ ତଳେ ବିତାଇଛନ୍ତି।
