ଭୁବନେଶ୍ବର ୨୩।୧୦: ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଦୁଇଦିନିଆ ମୁମ୍ବାଇ ଗସ୍ତର ଆଜି ଶେଷ ଦିନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଲ୍ ଆଣ୍ଡ ଟି (L&T) କମ୍ପାନୀ ପରିଦର୍ଶନ କରିବେ। ଶୁକ୍ରବାର L&T କମ୍ପାନୀ ପରିଦର୍ଶନ ସହିତ ଶିଳ୍ପପତିମାନଙ୍କ ସହ ନିବେଶ ସମ୍ପର୍କିତ ଆଲୋଚନା ଉପରେ ମୁଖ୍ୟ ଫୋକସ୍ ରହିବ।
ଶିଳ୍ପପତି ତଥା ଶିଳ୍ପ ନେତୃବୃନ୍ଦଙ୍କ ସହ ଏକାନ୍ତ ବୈଠକ ଜାରି ରହିଥିବା ବେଳେ ଓଡ଼ିଶାରେ ନୂଆ ଶିଳ୍ପ ପ୍ରତିଷ୍ଠା, ପୁଞ୍ଜିନିବେଶ ବୃଦ୍ଧି ଓ ନିଯୁକ୍ତି ସୃଷ୍ଟି ନେଇ ଆଶା ଆହୁରି ବଢ଼ିଯାଇଛି। ରାଜ୍ୟର ଶିଳ୍ପ ଭିତ୍ତିଭୂମିର ବିକାଶ, ନିବେଶ-ଅନୁକୂଳ ପରିବେଶ ଏବଂ ଯୁବପିଢ଼ିଙ୍କ ପାଇଁ ନୂତନ ରୋଜଗାର ସୁଯୋଗ ସୃଷ୍ଟି ଉପରେ ଏହି ଆଲୋଚନାରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଦୁଇଦିନିଆ ଗସ୍ତ ଫଳରେ ଓଡ଼ିଶାକୁ କେତେ ପରିମାଣର ପୁଞ୍ଜିନିବେଶ ଆସିବ ଏବଂ କେତେ ନିଯୁକ୍ତି ସୁଯୋଗ ମିଳିପାରିବ, ବର୍ତ୍ତମାନ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଏବଂ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ଦ୍ୱାର ଖୋଲିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏହି ଗସ୍ତ ଦ୍ୱାରା ରାଜ୍ୟର ଶିଳ୍ପ ବିକାଶ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେବା ସହିତ ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।
