ଭୁବନେଶ୍ବର, ୨୩।୧୦: ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ୨୫ ମିନିଟ୍ ଓଡ଼ିଶାରେ ରହିବେ। ରବିବାର ଅପରାହ୍ଣ ୪ଟା ୧୦ ମିନିଟରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ହଜାର ହଜାର କାର୍ଯ୍ୟକର୍ତ୍ତା ସ୍ୱାଗତ କରିବେ।
ଏହାପରେ ସେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଖୋର୍ଦ୍ଧା ହେଲିପ୍ୟାଡ଼୍ ଅଭିମୁଖେ ଯିବେ ଏବଂ ସେଠାରେ ଅପରାହ୍ଣ ୪ଟା ୩୫ ମିନିଟରେ ପହଞ୍ଚିବେ। ଏହାପରେ ଆରବିଆଇର ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ୪ଟା ୪୫ ମିନିଟରେ ଯୋଗଦେଇ ସେଠାରେ ପ୍ରାୟ ୧ ଘଣ୍ଟା ରହିବେ। ସେଠାରେ ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟରର ଉଦ୍ଘାଟନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ସେ ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଅପରାହ୍ଣ ୫ଟା ୪୫ ମିନିଟରେ ସେ ସେଠାରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଏବଂ ସନ୍ଧ୍ୟା ୬ଟା ୩୫ ମିନିଟରେ ଭୁବନେଶ୍ୱରରୁ ଦିଲ୍ଲୀ ଫେରିଯିବେ।
