ଝାରକଟା ଉପ୍ରା ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ରାଜ୍ୟ
Spread the love

ବୟାଳିଶ ମୌଜା :  କଟକ ଜିଲ୍ଲା ବୟାଳିଶ ମୌଜା ଅନ୍ତର୍ଗତ ଝାରକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାସମାରୋହରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ୍ ଓ ଦାର୍ଶନିକ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ୱାରା ବେଦମନ୍ତ୍ର ଓ ଗୁରୁ ବନ୍ଦନା ଗାନ ପୂର୍ବକ ଡ. ରାଧାକୃଷ୍ଣନଙ୍କ ମହନୀୟ ଆଦର୍ଶ ତଥା ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା।

ଏହି ସମାରୋହରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ସୁସ୍ଥ ସମାଜ ଗଠନରେ ଶିକ୍ଷକମାନଙ୍କ ଭୂମିକା” ଶୀର୍ଷକ ବିଷୟବସ୍ତୁ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଶିକ୍ଷକ କେବଳ ପାଠ୍ୟପୁସ୍ତକର ଜ୍ଞାନ ବାଣ୍ଟନ୍ତି ନାହିଁ, ବରଂ ଶିଶୁର ଚରିତ୍ର ଗଠନ କରି ତାକୁ ଜଣେ ଆଦର୍ଶ ନାଗରିକ ଭାବେ ଗଢ଼ିତୋଳିବାରେ ମୁଖ୍ୟ ମାର୍ଗଦର୍ଶକ ସାଜନ୍ତି। ସମ୍ପ୍ରତି ସମାଜରେ ନୈତିକ ମୂଲ୍ୟବୋଧର ଅବକ୍ଷୟ ଘଟୁଥିବା ବେଳେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସ୍କାର ଓ ସାମାଜିକ ଦାୟିତ୍ୱବୋଧ ଜାଗ୍ରତ କରିବା ନିହାତି ଜରୁରୀ। ସେହିପରି ସଭାପତିତ୍ୱ ଅଭିଭାଷଣରେ ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶ ପ୍ରାଚୀନ ଭାରତୀୟ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ପବିତ୍ର ଗୁରୁ-ଶିଷ୍ୟ ସମ୍ପର୍କ କିଭଳି ଭାରତୀୟ ସଂସ୍କୃତି ଓ ସଭ୍ୟତାକୁ ଏକ ନୂତନ ଦିଗଦର୍ଶନ ଦେଇ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ଦେଇପାରିଛି, ସେ ସମ୍ପର୍କରେ ସେ ବିସ୍ତୃତ ପର୍ଯ୍ୟାଲୋଚନା କରିଥିଲେ।

ଏହି ଅବସରରେ ଶିକ୍ଷୟିତ୍ରୀ ମିନତି ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଗୌରୀ ଦେଇ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ସଭା କାର୍ଯ୍ୟ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୁରୁଭକ୍ତିମୂଳକ ସଙ୍ଗୀତ, ଭକ୍ତିଗୀତ, ବକ୍ତୃତା ଏବଂ ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ଦାସଙ୍କୁ ବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ ଓ ଉପହାର ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟାଙ୍କ ସମେତ ବହୁ ଅଭିଭାବକ ଓ ସ୍ଥାନୀୟ ଶିକ୍ଷାନୁରାଗୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *