ଓରାଙ୍ଗଉଟାନ୍ ଫେରାଇ ନେବ ଇଣ୍ଡୋନେସିୟା, ଚଳାଇଛି ଦ୍ରୁତ ପ୍ରକ୍ରିୟା

ରାଜ୍ୟ
Spread the love
  • – ଓଡ଼ିଶାରେ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ୍ ସୁମାତ୍ରାର ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି
    – ଅଧିକାରୀ କହିଛନ୍ତି ଯେ ଚିହ୍ନଟ ଏବେ ପ୍ରାରମ୍ଭିକ ପ୍ରକ୍ରିୟାରେ ଅଛି
    – ବୈଜ୍ଞାନିକମାନେ ସେମାନଙ୍କ ପ୍ରଜାତି ଓ ଆନୁବଂଶିକ ଉତ୍ପତି ପୁଷ୍ଟି ଲାଗି ଡିଏନଏ ପରୀକ୍ଷଣ କରିବ
  • ଜାକାର୍ତ୍ତା :  ଓଡ଼ିଶା ଜଙ୍ଗଲରୁ ମିଳିଥିବା ଓରାଙ୍ଗଉଟାନ୍ ଶାବକଙ୍କୁ ଫେରାଇ ନେବାକୁ ଇଣ୍ଡୋନେସିଆ ସରକାର ଦ୍ରୁତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥି ପାଇଁ ଇଣ୍ଡୋନେସିୟା ଜଙ୍ଗଲ ବିଭାଗ ଅଧିକାରୀ ଭାରତୀୟ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିବା ଓ ମିଳିତ କାର୍ଯ୍ୟ କରୁଥିବାର ଜଣାପଡିଛି। ଆଶଙ୍କା କରାଯାଉଛି ଏହି ବନ୍ୟପ୍ରାଣୀ ଅନ୍ତର୍ଜାତୀୟ ପଶୁ ତସ୍କରୀର ଶିକାର ହୋଇଛନ୍ତି। ୬ ମାସରୁ ୧ ବର୍ଷ ବୟସର ଏହି ଓରାଙ୍ଗଉଟାନ୍ ଙ୍କ ମଧ୍ୟରେ ୩ଟି ଅଣ୍ଡିରା ଓ ୨ଟି ମାଇ ଅଛନ୍ତି। ଏମାନଙ୍କୁ ସେପ୍ଟେମ୍ବର ୮ ତାରିଖ ଦିନ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।

ଓରାଙ୍ଗଉଟାନ୍ ଏକ ପ୍ରକାରର ବଣ ମଣିଷ ଯେଉଁମାନେ ପାଖାପାଖି ମଣିଷ ଭଳି। ଇଣ୍ଡୋନେସିଆ ସରକାରୀ ସମ୍ବାଦ ସରବରାହ ସଂସ୍ଥା ‘ଅଂତାରା’ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଇଣ୍ଡୋନେସିଆ ଜଙ୍ଗଲ ମନ୍ତ୍ରାଳୟ ଏହି ଓରାଙ୍ଗଉଟାନ ମିଳିବା ପରଠାରୁ ଭାରତର ସମ୍ବଦ୍ଧିତ ଅଧିକାରୀଙ୍କ ସହିତ ସମନ୍ୱୟ କରୁଛନ୍ତି। ମନ୍ତ୍ରାଳୟ ଲୋକସମ୍ପର୍କ ଓ ବିଦେଶ ସଯୋଗ ବ୍ୟୁରୋ ମୁଖ୍ୟ ରିସତିୟାନ୍ତୋ ପ୍ରିବାଦୀ ଏକ ବୟାନରେ କହିଛନ୍ତି ଯେ ଓଡ଼ିଶାରେ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ୍ ଙ୍କ ଶାରୀରିକ ବିଶେଷତାର ପ୍ରାରମ୍ଭିକ ଅବଲୋକନ ଆଧାରରେ ସେମାନେ ହୁଏତ ସୁମାତ୍ରାର ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଅଧିକାରୀ କହିଛନ୍ତି ଯେ ଚିହ୍ନଟ ଏବେ ପ୍ରାରମ୍ଭିକ ପ୍ରକ୍ରିୟାରେ ଅଛି। ବୈଜ୍ଞାନିକମାନେ ସେମାନଙ୍କ ପ୍ରଜାତି ଓ ଆନୁବଂଶିକ ଉତ୍ପତି ପୁଷ୍ଟି ଲାଗି ଡିଏନଏ ପରୀକ୍ଷଣ କରିବେ। ଉଦ୍ଧାର ଓରାଙ୍ଗଉଟାନ୍ ଙ୍କ ଉନ୍ନତ ଯତ୍ନ ପାଇଁ ସେମାନଙ୍କୁ ଓଡିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ ବନ୍ୟପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରାଣୀ ଉଦ୍ୟାନ ଅଧିକାରୀଙ୍କ ଅନୁସାରେ ଓଡ଼ିଶା ସରକାର ଓରାଙ୍ଗଉଟାନଙ୍କୁ ଭୟମୁକ୍ତ ରଖିବାକୁ ତଥା ସେମାନଙ୍କ ଯତ୍ନ ପାଇଁ ସବୁ ପ୍ରକାରର ଜରୁରି ସୁବିଧା ଉପଲବ୍ଧ କରାଇଛନ୍ତି। ଓରାଙ୍ଗଉଟାନ ସାଧାରଣତଃ ସୁମାତ୍ରା ଓ ବୋର୍ଣ୍ଣିୟୋ ଦ୍ୱୀପରେ ଦେଖିବାକୁ ମିଳନ୍ତି। ଏମାନେ ଭାରତରେ ମିଳିବାର ଅର୍ଥ ହେଉଛି ସେମାନେ ଅନ୍ତର୍ଜାତୀୟ ପଶୁ ତସ୍କରଙ୍କ ଶିକାର ହୋଇଛନ୍ତି।

Leave a Reply

Your email address will not be published. Required fields are marked *