ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତ ର ବିରିତୋଳ ଶାସମଲ ସାହି ର ଦୁର୍ଯ୍ୟୋଧନ ଶାସମଲ ଙ୍କ ପୁଅ ସର୍ବେଶ୍ୱର ଶାସମଲ (ସରଭା ) ଙ୍କର ବାସଗୃହ, ରୋଷଇଘର ଓ ଗୁହାଳ ରେ ଗତ ରବିବାର ମଧ୍ୟାହ୍ନ ରେ ଆକସ୍ମିକ ନିଆଁଲାଗି, ଜଳିପୋଡିପାଉଁଶ ହୋଇଯାଇଛି l ବିପନ୍ନ ସର୍ବେଶ୍ୱର ତିନିଜଣ ଅବିବାହିତ ଝିଅ ଓ ସବାସାନ ପୁଅଟି ପାଗଳ ହୋଇଥିବା ବେଳେ, ଅଟୋ ଚଳାଇ ସେ ନିଜର ପରିବାର ପ୍ରତିପୋଷଣ କରିଆସୁଥିଲା l ପବନର ବେଗ ଅଧିକ ଥିବାରୁ ନିଆଁ ଲାଗିବାର ମାତ୍ର ଅଳ୍ପସମୟ ମଧ୍ୟରେ, ଧାନ ଚାଉଳ, ଆସବାବ ପତ୍ର ଓ ସମସ୍ତ ଘରକରଣା ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଥିଲା l ଗ୍ରାମବାସୀ ମାନେ ହୋହାଲ୍ଲା ଶୁଣି ସେଠାରେ ପହଞ୍ଚି ନିଆଁ ଲିଭାଇଥିଲେ, ମାତ୍ର ସେତେବେଳକୁ ଆଉ କିଛି ନଥିଲା l
ତେବେ ତୁହାକୁତୁହା ବର୍ଷା ଲାଗିରହିଥିବାରୁ, ଏହି ବିପନ୍ନ ପରିବାର ଟି ମୁଣ୍ଡଗୁଞ୍ଜିବାକୁ ରାହା ନାହିଁ l ସବୁକିଛି ହରାଇ ସର୍ବହରା ସାଜିଥିବା ସର୍ବେଶ୍ୱର କୁ ତିର୍ତ୍ତୋଲ ତହସିଲ ତରଫରୁ ପାଲ ଓ କ୍ଷତିପୁରଣ ଜରୁରୀକାଳୀନ ଯୋଗାଇ ଦେବା ସହିତ ତିର୍ତ୍ତୋଲ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ସରକାରୀ ଆବାସଯୋଜନାରେ ବାସଗୃହ ଟିଏ ଯୋଗାଇ ଦେବାକୁ, ତାଙ୍କର ପଡୋଶୀ ଓ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି l
