ୟୁଏଇରୁ ଫେରିଲେ ମୋହନ : ଓଡ଼ିଶାକୁ ୨.୪୩ ଲକ୍ଷ କୋଟିର ନିବେଶ

ରାଜ୍ୟ
Spread the love

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ମିସନକୁ ଜବରଦସ୍ତ ସମର୍ଥନ ମିଳିଛି। ରାଜ୍ୟର ଶିଳ୍ପାୟନ ଓ ପୁଞ୍ଜିନିବେଶ ସମ୍ଭାବନାକୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ଆକର୍ଷଣୀୟ ଢଙ୍ଗରେ ନିବେଶକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସେଥିପାଇଁ ରାଜ୍ୟକୁ ୨.୪୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଇଣ୍ଟରନ୍ୟାସନାଲ୍‌ ହୋଲ୍‌ଡିଂ କର୍ପୋରେସନ (ଆଇଏଚ୍‌ସି)ଠାରୁ ଆରମ୍ଭ କରି ଏମିରେଟ୍‌ସ ଗ୍ଲୋବାଲ୍‌ ଆଲୁମିନିୟମ ଭଳି କମ୍ପାନି ଓଡ଼ିଶାରେ ନିବେଶ କରିବାକୁ ଆଗେଇ ଆସିଛନ୍ତି। ତାଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ୪୬ଟି ପ୍ରତ୍ୟକ୍ଷ ଆଲୋଚନାରେ ଭାଗ ନେଇଥିଲେ। ୮ଟି ବୁଝାମଣାପତ୍ର (ଏମ୍‌ଓୟୁ) ଓ ୧୬ଟି ନିବେଶ ଇଚ୍ଛାପତ୍ର ସ୍ବାକ୍ଷର ହୋଇଥିଲା। ମୋହନ ସରକାର ୟୁଏଇରୁ ଆଣିଥିବା ପୁଞ୍ଜିନିବେଶ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୮.୯୫ ଲକ୍ଷରୁ ଅଧିକ ପୁଞ୍ଜିନିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦୨୪ରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବ‌ା ପରେ ଏହା ଥିଲା ମୁଖ୍ୟମନ୍ତ୍ରୀ ମାଝୀଙ୍କ ଦ୍ବିତୀୟ ବିଦେଶ ପୁଞ୍ଜିନିବେଶ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମ। ଏହି ଗସ୍ତର ବୃହତ୍‌ ସଫଳତାରୁ ପୁଞ୍ଜିନିବେଶ ପାଇଁ ଏକ ପସନ୍ଦର ସ୍ଥାନ ଭାବେ ଓଡ଼ିଶାର ଅନ୍ତର୍ଜାତୀୟ ଭାବମୂର୍ତ୍ତି ବେଶ ଉଜ୍ଜ୍ବଳ ହୋଇଥିବା ସ୍ପଷ୍ଟ ହୋଇଛି, ଯାହା ଆଗାମୀ ଦିନରେ ସମୃଦ୍ଧ ଓଡ଼ିଶା ଗଠନ କରିବାର ମୂଳଦୁଆ ଭାବେ କାର୍ଯ୍ୟ କରିବ।
ମୁଖ୍ୟମନ୍ତ୍ରୀ ଚଳିତ ମାସ ୮ ତାରିଖରେ ଭୁବନେଶ୍ବରରୁ ଭାୟା ଦିଲ୍ଲୀ ଦେଇ ପ୍ରଥମେ ଆବୁଧାବିରେ ପହଞ୍ଚିଥିଲେ। ୯ ତାରିଖରେ ସେ ଆଇଏଚ୍‌ସିର ମୁଖ୍ୟ କାର୍ଯ୍ୟାଳୟ ବୁଲିବା ସହ ଶିଳ୍ପପତି ଓ ବିଭିନ୍ନ ସଂଗଠନ ସହ ଆଲୋଚନା କରିଥିଲେ। ତାଙ୍କ ଉପସ୍ଥିତିରେ ଆଦାନୀ ଗ୍ରୁପ୍ ଓ ଆଇଏଚ୍‌ସି ଗ୍ରୁପ୍‌ ମଧ୍ୟରେ ଐତିହାସିକ ୨.୧ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ୧୦ ତାରିଖ ଦିନ ବିଭିନ୍ନ ଆଲୋଚନାରୁ ୮ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ହାସଲ ହୋଇଥିଲା। ୧୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଓଡ଼ିଶା ନିବେଶ ରୋଡ୍‌‌ସୋରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରବାସୀ ଓଡ଼ିଆମାନଙ୍କୁ ଭେଟି ଭାବବିନିମୟ ମଧ୍ୟ କରିଥିଲେ। ଏହାପରେ ନିଜ କାର୍ଯ୍ୟକ୍ରମ ଶେଷ କରିଥିଲେ।
ଓଡ଼ିଶା ଶିଳ୍ପ ବିକାଶର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି ଓ ୟୁଏଇ ସହ ଆମର ଆଲୋଚନା ଏହି ଯାତ୍ରାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଆମେ ଏଠାକୁ କେବଳ ନିବେଶ ଆମନ୍ତ୍ରଣ କରିବାକୁ ଆସିନାହୁଁ, ବରଂ ବିଶ୍ବାସ, ପ୍ରଯୁକ୍ତିବିଦ୍ୟା, ମୂଲ୍ୟ ବୃଦ୍ଧି ଓ ରୋଜଗାର ଉପରେ ଆଧାରିତ ଦୀର୍ଘକାଳୀନ ଭାଗୀଦାର ଗଢ଼ିବାକୁ ଆସିଛୁ। ୟୁଏଇ ଏକ ଗୁରୁତ୍ବପୂର୍ଣ୍ଣ ବିଶ୍ବସ୍ତରୀୟ ଆର୍ଥିକ ଭାଗୀଦାର, ଏବଂ ନିର୍ଦ୍ଦିଷ୍ଟ ନିବେଶ ଓ ଶିଳ୍ପ ସୁଯୋଗ ମାଧ୍ୟମରେ ଓଡ଼ିଶା-ୟୁଏଇ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଆମେ ଆଶାବାଦୀ। ନିବେଶକଙ୍କ ଆଗ୍ରହକୁ ପ୍ରକୃତ ପ୍ରକଳ୍ପରେ ରୂପାନ୍ତରିତ କରିବା, କର୍ମସଂସ୍ଥାନ ସୃଷ୍ଟି କରିବା ଓ ବିଶ୍ବସ୍ତରୀୟ ବ୍ୟବସାୟ ପାଇଁ ଓଡ଼ିଶାକୁ ଏକ ଆକର୍ଷଣୀୟ ଓ ପ୍ରତିଯୋଗିତାମୂଳକ ସ୍ଥାନ ଭାବେ ଗଢ଼ିତୋଳିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଓଡ଼ିଶା ମୂଲ୍ୟବୃଦ୍ଧି, ପ୍ରଯୁକ୍ତିବିଦ୍ୟା, ବିଶ୍ୱସ୍ତରୀୟ ସହଭାଗିତା ଓ ଦକ୍ଷ ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ଆଧାର କରି ଶିଳ୍ପ ଅଭିବୃଦ୍ଧିର ଏକ ନୂତନ ପର୍ଯ୍ୟାୟକୁ ପ୍ରବେଶ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ। ସେ ନିବେଶକମାନଙ୍କ ପାଇଁ ରାଜ୍ୟର ପ୍ରାକୃତିକ ସମ୍ପଦ, ପ୍ରତିଯୋଗୀ ଶକ୍ତି ଉପଲବ୍ଧତା, ରଣନୈତିକ ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ କାର୍ଯ୍ୟଶକ୍ତି ଏବଂ ଶିଳ୍ପ ଇକୋସିଷ୍ଟମକୁ ମୁଖ୍ୟ ସୁବିଧା ଭାବରେ ଉପସ୍ଥାପନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଓଡ଼ିଶାର ୟୁଏଇ ସହଭାଗିତା ବ୍ୟକ୍ତିଗତ ନିବେଶଠାରୁ ଆଗକୁ ଯାଇ ଉତ୍ପାଦନ, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ରପ୍ତାନି, ଇନୋଭେସନ, ଦକ୍ଷତା ଓ ଉଦ୍ୟମିତାରେ ଦୀର୍ଘସ୍ଥାୟୀ ଭାଗୀଦାର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ସେ ୟୁଏଇର ବ୍ୟବସାୟୀମାନଙ୍କୁ ଭାରତରେ ସେମାନଙ୍କର ପରବର୍ତ୍ତୀ ଅଭିବୃଦ୍ଧି ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ପସନ୍ଦର ସ୍ଥଳ ଭାବରେ ପରିଣତ କରିବାକୁ ନିମନ୍ତ୍ରଣ କରିଥିଲେ।
ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବା ଲକ୍ଷ୍ୟରେ ଦୁବାଇରେ ‘ୱାନ୍ ଡିଷ୍ଟ୍ରିକ୍ଟ, ୱାନ୍ ପ୍ରଡକ୍ଟ’ (ଓଡିଓପି) ଗ୍ୟାଲେରିକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଗ୍ୟାଲେରିରେ ସମ୍ବଲପୁରୀ ଶାଢ଼ି, କଟକର ମଣିଆବନ୍ଧା ହସ୍ତତନ୍ତ ଓ ରୁପା ତାରକସି, ରାୟଗଡ଼ାର ଡଙ୍ଗରିଆ ସାଲ୍‌, କେନ୍ଦୁଝରର ଟେରାକୋଟା ମୂର୍ତ୍ତି, ବାଲେଶ୍ୱରର ବ୍ଲାକ୍ ଗ୍ରାନାଇଟ୍ ମୂର୍ତ୍ତି, ପୁରୀର ପଟ୍ଟଚିତ୍ର ଓ ତାଳପତ୍ର ଖୋଦେଇ ଭଳି ଜିଲ୍ଲାଭିତ୍ତିକ ପ୍ରମୁଖ କଳା ଓ ହସ୍ତଶିଳ୍ପ ସ୍ଥାନ ପାଇଥିଲା।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଦୁବାଇରେ ପ୍ରବାସୀ ଓଡ଼ିଅାମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ବିଶେଷ ସମାବେଶରେ ୮୦୦ରୁ ଅଧିକ ଓଡ଼ିଆ ସମୁଦାୟର ସଦସ୍ୟ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶୀ ଓ ପାରମ୍ପରିକ ଲୋକନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶିତ ହୋଇଥିଲା। ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ୱାଦ ମଧ୍ୟ ଏହି ଉତ୍ସବରେ ଘରୋଇ ଆତ୍ମୀୟତା ଭରି ଦେଇଥିଲା। ମୁଖ୍ୟମନ୍ତ୍ରୀ ୟୁଏଇରେ ବସବାସ କରୁଥିବା ଓଡ଼ିଆମାନଙ୍କ ଦୃଢ଼ ସାଂସ୍କୃତିକ ସମ୍ପର୍କକୁ ପ୍ରଶଂସା କରିବା ସହ ବିଦେଶରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଏବଂ ପ୍ରଚାର ପାଇଁ ସେମାନଙ୍କ ଉଦ୍ୟମକୁ ସ୍ୱୀକାର କରିଥିଲେ।
ୟୁଏଇ ଗସ୍ତର ଦ୍ବିତୀୟ ଦିନରେ ୫ଟି ବୁଝାମଣାପତ୍ର (ଏମ୍‌ଓୟୁ) ଓ ୮ଟି ନିବେଶ ଇଚ୍ଛାପତ୍ର ଜରିଆରେ ୮୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଥିଲା। ୟୁଏଇର ନିବେଶକମାନେ ଓଡ଼ିଶାର ସୂଚନା ପ୍ରଯୁକ୍ତି, ଆଇଟି ସେବା, ରିଅଲ ଇଷ୍ଟେଟ୍‌, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ ଓ ଆନୁଷଙ୍ଗିକ ଶିଳ୍ପ, ବିରଳ ମୃତ୍ତିକା, ରସାୟନ, ଆଲୁମିନିୟମ ଓ ସର୍କୁଲାର ଇକୋନମିରେ ନିବେଶ କରିବାକୁ ଆଗ୍ରହ ଦେଖାଇଥିଲେ। ମୁଖ୍ୟମନ୍ତ୍ରୀ ୟୁଏଇର କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ନିବେଶ ପରିଷଦର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କୁ ଭେଟିଥିଲେ। ସରାଫ୍‌ ଗ୍ରୁପ୍‌ର ସଭାପତି ତଥା ସିିଇଓ ଶ୍ୟାମ କପୁର ଓ ଟ୍ରାନ୍ସୱାର୍ଲଡ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ରିତେଶ ରାମକୃଷ୍ଣନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ୟୁଏଇର ପ୍ରମୁଖ ଆଲୁମିନିୟମ କମ୍ପାନି ‘ଏମିରେଟ୍‌ସ ଗ୍ଲୋବାଲ୍‌ ଆଲୁମିନିୟମ (ଇଜିଏ) ପରିଦର୍ଶନ କରି ସମ୍ଭାବ୍ୟ ସହଯୋଗିତା ସମ୍ପର୍କ‌ରେ ଆଲୋଚନା କରିଥିଲେ। ମଧ୍ୟପ୍ରାଚ୍ୟ ରିସାଇକ୍ଲିଂ ବ୍ୟୁରୋ ସହ ଏକ ବୈଠକରେ ଯୋଗଦେଇ।
ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ମାଝୀ ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ (ଆଇବିପିଜି) ସହ ଏକ ରାଉଣ୍ଡଟେବୁଲ୍ ଆଲୋଚନାରେ ଯୋଗଦେଇଥିଲେ। ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରମୁଖ ୟୁଏଇ ବ୍ରାଣ୍ଡ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫାକ୍ଚରିଂ ଏବଂ ଦକ୍ଷ ମାନବ ସମ୍ବଳ ନିମନ୍ତେ ସୁଯୋଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବା ଲକ୍ଷ୍ୟରେ ଦୁବାଇରେ ‘ୱାନ୍ ଡିଷ୍ଟ୍ରିକ୍ଟ, ୱାନ୍ ପ୍ରଡକ୍ଟ’ (ଓଡିଓପି) ଗ୍ୟାଲେରିକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଗ୍ୟାଲେରିରେ ସମ୍ବଲପୁରୀ ଶାଢ଼ି, କଟକର ମଣିଆବନ୍ଧା ହସ୍ତତନ୍ତ ଓ ରୁପା ତାରକସି, ରାୟଗଡ଼ାର ଡଙ୍ଗରିଆ ସାଲ୍‌, କେନ୍ଦୁଝରର ଟେରାକୋଟା ମୂର୍ତ୍ତି, ବାଲେଶ୍ୱରର ବ୍ଲାକ୍ ଗ୍ରାନାଇଟ୍ ମୂର୍ତ୍ତି, ପୁରୀର ପଟ୍ଟଚିତ୍ର ଓ ତାଳପତ୍ର ଖୋଦେଇ ଭଳି ଜିଲ୍ଲାଭିତ୍ତିକ ପ୍ରମୁଖ କଳା ଓ ହସ୍ତଶିଳ୍ପ ସ୍ଥାନ ପାଇଥିଲା।

Leave a Reply

Your email address will not be published. Required fields are marked *