ସୁନ୍ଦରଗଡ଼: ଅଧିକ ଲାଭର ପ୍ରଲୋଭନ ଦେଖାଇ ସୁନ୍ଦରଗଡ଼ରେ ପ୍ରାୟ ଦେଢ଼ କୋଟି ଟଙ୍କା ଠକେଇ କରିଥିଲେ ଦମ୍ପତି ଶେଷରେ ପୁଲିସ ବାଲେଶ୍ୱରରୁ ସେମାନଙ୍କୁ ଗିରଫ କରିଛି। ଗିରଫ ଦମ୍ପତି ହେଲେ ବାଲେଶ୍ୱର ଜିଲ୍ଲାର ଅବିନାଶ ଗ୍ରହାଚାର୍ଯ୍ୟ ଓ ତାଙ୍କ ସ୍ତ୍ରୀ ଇନ୍ଦୁଲେଖା ଓଝା
ଦମ୍ପତି ମାଇ ଡିଜିଟାଲ ଲକର୍ ନାମରେ ଏକ ସଂସ୍ଥା ଖୋଲିଥିଲେ। ଟଙ୍କା ନିବେଶ କଲେ ନିର୍ଦ୍ଦିଷ୍ଟ ସମୟରେ ଦୁଇଗୁଣ ହେବ ବୋଲି ଲୋକଙ୍କୁ ପ୍ରଲୋଭନ ଦେଖାଉଥିଲେ। ସୁନ୍ଦରଗଡ଼ ଟାଉନ ଥାନା ରଙ୍ଗାଢିପା ଅଞ୍ଚଳର ପ୍ରଶାନ୍ତ ନାଏକ ଏହି ଜାଲରେ ପଡ଼ିଥିଲେ । ଏଥିରେ ସେ ୧ କୋଟି ୨୬ ଲକ୍ଷ ୩୪ ହଜାର ଟଙ୍କା ନିବେଶ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାହା ଜାଲ ବୋଲି ଜାଣିବା ପରେ ତାଙ୍କ ମୁଣ୍ଡ ଘୂରି ଯାଇଥିଲା। ଏ ନେଇ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ। ସାଇବର ଥାନା ଏକ ମାମଲା ରୁଜୁ କରି ତଦନ୍ତ ଚଲାଇ ଦମ୍ପତିଙ୍କୁ ଗିରଫ କରିଥିଲା।
ପୁଲିସ ଠାରୁ ମିଳିଥିବା ସୂଚନାରେ, ଦୁହିଁଙ୍କ ନାମରେ, ଭାରତୀୟ ନ୍ୟାୟ ସଂହିତାର ୩୧୮(୨)/୩୧୮(୪)/୩(୫) ଦଫାରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହା ସହ ସମ୍ପୃକ୍ତ ସାଇଟ୍ ଓ ନିବେଶ ସଂପର୍କିତ ଖାତାକୁ ଫ୍ରିଜ୍ କରାଯାଇଥିବା ଜଣାପଡ଼ିଛି। ଗତକାଲି (ଶନିବାର) କୁଆଁରମୁଣ୍ଡା ଅଞ୍ଚଳର ଏକ କମ୍ପାନି ଖାତାରୁ ସାଇବର ଠକ ୧ କୋଟି ୮୪ ଲକ୍ଷ ଠକି ନେଇଥିଲା। ସାଇବର ପୁଲିସ ଉତ୍ତରପ୍ରଦେଶର ଠକକୁ ଗିରଫ କରି ୧ କୋଟି ୧୪ ଲକ୍ଷ ଟଙ୍କା ପୀଡ଼ିତାଙ୍କ ଖାତାକୁ ଫେରସ୍ତ କରାଇବାରେ ସକ୍ଷମ ହୋଇଥିଲା। ଏବେ ସାଇବର ଠକେଇରେ ଦମ୍ପତି ଗିରଫ ହେବା ଚର୍ଚ୍ଚାର ବିଷୟ ହୋଇଛି।
