ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ତଥା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି ତେନ୍ତୁଳିପଦା ଗ୍ରାମର ବିଶିଷ୍ଟ ଆଇନଜୀବୀ ତଥା ସମାଜସେବୀ ଶ୍ରୀ ସତ୍ୟଗୋପାଳ ପରିଜା। ମିଳିତ ଜାତିସଂଘ (UN) ସହ ଅନୁବନ୍ଧିତ ବିଶ୍ୱପ୍ରସିଦ୍ଧ ଅନ୍ତର୍ଜାତୀୟ ସେବା ସଂସ୍ଥା ‘ୱାଇଜ୍ ମ୍ୟାନ୍’ (Y’s Men) ପକ୍ଷରୁ ମାଲେସିଆର ପେନାଙ୍ଗଠାରେ ଆୟୋଜିତ ୭୫ତମ ଅନ୍ତର୍ଜାତୀୟ ସମ୍ମିଳନୀରେ ସେ ଭାରତ ତରଫରୁ ‘ବିଶ୍ୱ ଭାତୃତ୍ୱ ରାଷ୍ଟ୍ରଦୂତ’ (World Brotherhood Ambassador) ଭାବେ ପ୍ରତିନିଧିତ୍ୱ କରିଛନ୍ତି।
ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ କଳା, ସଂସ୍କୃତି ଓ ପାରମ୍ପରିକ ଭାଇଚାରାର ଆଦାନପ୍ରଦାନ ଉଦ୍ଦେଶ୍ୟରେ ଆୟୋଜିତ ଏହି ମହାସମ୍ମିଳନୀରେ ସାରା ବିଶ୍ୱର ପ୍ରାୟ ୮୬ଟି ଦେଶରୁ ୭୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଛନ୍ତି। ଏଥିରେ ଭାରତରୁ ୬୭ ଜଣ ପ୍ରତିନିଧି ସାମିଲ ହୋଇଥିବା ବେଳେ ଓଡ଼ିଶାରୁ ୧୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଏହି ଅନ୍ତର୍ଜାତୀୟ ମଞ୍ଚରେ ଶ୍ରୀ ପରିଜା ଭାରତୀୟ ସଂସ୍କୃତିର ମୂଳମନ୍ତ୍ର “ବସୁଧୈବ କୁଟୁମ୍ବକମ୍” ନ୍ୟାୟରେ ସମଗ୍ର ବିଶ୍ୱ ଏକ ପରିବାର ଏବଂ ପାରସ୍ପରିକ ସଦ୍ଭାବନା ହିଁ ଶାନ୍ତିର ମୂଳାଧାର ବୋଲି ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ସମ୍ମିଳନୀ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ‘ୱାଇଜ୍ ମ୍ୟାନ୍’ ଓଡ଼ିଶା ଜିଲ୍ଲାର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ସାରିଥିବା ଆଇନଜୀବୀ ଶ୍ରୀ ପରିଜା ବିଭିନ୍ନ ସାମାଜିକ ସଂଗଠନ ମାଧ୍ୟମରେ ନିରନ୍ତର ସମାଜସେବା ଜାରି ରଖିଛନ୍ତି। ସେ ହେଉଛନ୍ତି ତେନ୍ତୁଳିପଦା ଗ୍ରାମର ବିଶିଷ୍ଟ କର୍ମଚାରୀ ନେତା ସ୍ୱର୍ଗତ ଗିରିଶ ଚନ୍ଦ୍ର ପରିଜା ଓ ବିଦ୍ୟୁତପ୍ରଭା ପରିଜାଙ୍କ କନିଷ୍ଠ ପୁତ୍ର ତଥା ଭୁବନେଶ୍ୱରସ୍ଥିତ ସାରଳା ଦାସ ସ୍ମୃତି ସଂସଦର ଉପସଭାପତି ଶ୍ରୀ ବିକାଶ ଚନ୍ଦ୍ର ପରିଜାଙ୍କ ସାନଭାଇ।
ଶ୍ରୀ ସତ୍ୟଗୋପାଳ ପରିଜାଙ୍କ ଏହି ଅନ୍ତର୍ଜାତୀୟ କୃତିତ୍ୱ ଲାଗି ‘ନଗର ଖବର’ ସମ୍ବାଦପତ୍ରର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ ଦାସ, ବରିଷ୍ଠ ସାମ୍ବାଦିକ ରମାକାନ୍ତ ରାଉଳ ଏବଂ ହରିହର ତ୍ରିପାଠୀ ପ୍ରମୁଖ ତାଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉତ୍ତରୋତ୍ତର ସଫଳତା କାମନା କରିଛନ୍ତି।
