ଓରାଂଉଟାନ୍‌ ଉଦ୍ଧାର ଘଟଣା: ଲମ୍ବୁଛି ସନ୍ଦିଗ୍ଧଙ୍କ ତାଲିକା, ହୋଟେଲ୍‌ ମାଲିକଙ୍କ ପତ୍ନୀ, ଝିଅଙ୍କୁ ୫ ଘଣ୍ଟା ଜେରା

ରାଜ୍ୟ
Spread the love

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ ଓରାଂଉଟାନ୍‌ ଉଦ୍ଧାର ହେବା ପ୍ରସଙ୍ଗରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ତନାଘନା ଜାରି ରହିଛି। ଏସ୍‌ଟିଏଫ୍‌ ହାତ‌‌ରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଥିବା କୁହାଯାଉଛି। ‌ଏହି ଘଟଣାର ବ୍ଲୁ ପ୍ରିଣ୍ଟ୍‌ ପଶ୍ଚିମବଙ୍ଗ ଦୀଘାରେ ଥିବା ଗ୍ରାଣ୍ଡ ହେରିଟେଜ୍ ହୋଟେଲ୍‌ରେ ପ୍ରସ୍ତୁତ କରାଯାଇଥିବାବେଳେ ହୋଟେଲ୍‌ ମାଲିକ ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତି ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ଦୀଘାର ଏହି ହୋଟେଲ୍‌ଟି ମାତ୍ର ୪ ମାସ ତଳେ ପ୍ରତିଷ୍ଠା ହୋଇଥିଲା। ତେବେ ଫେରାର ବାପାପୁଅଙ୍କ ନିକଟରେ ଏସ୍‌ଟିଏଫ୍‌ ପହଞ୍ଚିପାରି ନ ଥିବାରୁ ତଦନ୍ତ ଆଗକୁ ଯାଇପାରୁ ନଥିବା ଜନୈକ ଅଧିକାରୀ କହିଛନ୍ତି। ସେମାନଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ସ୍ବିଚ୍‌ ଅଫ୍‌ ରହିଛି
ଓରାଂଉଟାନ୍‌ ଚାଲାଣ ସଂପର୍କରେ ଏସ୍‌ଟିଏଫ୍‌ ତନାଘନା ବେଳେ କଳାରଙ୍ଗର ଥାର୍‌ ସଂପର୍କରେ ଜଣାପଡ଼ିଥିଲା। ଅଭିଯୁକ୍ତ ବାପାପୁଅ ଏହାକୁ ଲୁଚାଇ ଦେଇ ଦେଶ ବାହାରକୁ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ଜନୈକ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଅଭିଯୁକ୍ତଦ୍ବୟ ଧରାପଡ଼ିଲେ ହିଁ, ସେମାନେ ଓରାଂଉଟାନ୍‌ କେଉଁଠୁ ଓ କେମିତି ଆଣିଲେ, କେଉଁଠାକୁ ଏହି ଜୀବଙ୍କୁ ଚାଲାଣ କରିବାକୁ ଥିଲା, ବାଲେଶ୍ବର‌ରେ କାହିଁକି ଛାଡ଼ିଦେଲେ ଆଦି ପ୍ରଶ୍ନର ଉତ୍ତର ମିଳିପାରିବ। ତେବେ ଓରାଂଉଟାନ୍‌ଗୁଡ଼ିକୁ ଏହି ହୋଟେଲ୍‌ ଭିତରକୁ ନିଆଯାଇଥିବା ସିସି କ୍ୟାମେରା ରେକର୍ଡରୁ ଜଣାପଡ଼ିଛି। ଗତ ୮ ତାରିଖରେ ରଣକୋଠା ଜଙ୍ଗଲରୁ ଓରାଂଉଟାନ୍‌ ଉଦ୍ଧାର ହୋଇଥିଲେ। ୯ ତାରିଖରେ ଏସ୍‌ଟିଏଫ୍‌ ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ବାପାପୁଅ ୧୦ ତାରିଖରୁ ‌ଫେରାର ଥିବା ଜଣାପଡ଼ିଛି। ହୋଟେଲ୍ ସିସିଟିଭି ହାର୍ଡଡିସ୍କକୁ ନେଇ ଏସ୍‌ଟିଏଫ୍‌ ଛାନ୍‌ଭିନ୍ କରୁଛି। ଏଥିରୁ ଅନେକ ସୁରାକ ମିଳିବାର ଆଶା ରହିଛି। ସେହିପରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାକୁ ହୋଟେଲ୍‌ ମାଲିକଙ୍କ ପତ୍ନୀ ଓ ତାଙ୍କ ଝିଅକୁ ଏସ୍‌ଟିଏଫ୍‌ ଆଜି ୫ ଘଣ୍ଟା ଜେରା କରିଛି। ମାଇତି ପରିବାର ସମେତ ଘଟଣାରେ ସମୁଦାୟ ୧୨ ଜଣ ସମ୍ପୃକ୍ତ ଥିବା ପ୍ରାରମ୍ଭିକ ଭାବେ ଜଣାପଡ଼ିଛି। ସନ୍ଦିଗ୍ଧଙ୍କ ତାଲିକା ଲମ୍ବୁଥିବାରୁ ରହସ୍ୟ ଘନେଇବାରେ ଲାଗିଛି। ଓରାଂଉଟାନ୍‌ କାରବାରରେ ଜଡ଼ିତ ୬ ଅଭିଯୁକ୍ତ ସଂପୃକ୍ତ ହୋଟେଲ୍‌ରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ନାମ ହୋଟେଲ୍‌ ରେଜିଷ୍ଟରରେ ରହିଥିବା ସୂଚନା ମିଳିଛି।
ଏପର୍ଯ୍ୟନ୍ତ ସମୁଦାୟ କେତେଜଣଙ୍କୁ ଜେରା କରାଯାଇଛି, ଆଗକୁ କେଉଁମାନଙ୍କୁ ଜେରା କରାଯିବ, ସେ ସମ୍ପର୍କରେ ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଉ ନାହିଁ। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଉନଥିବା କୁହାଯାଇଛି। ସୂଚନା ଅନୁଯାୟୀ, ଜଣେ ଫାର୍ମହାଉସ୍‌ ମାଲିକଙ୍କୁ ଓରାଂଉଟାନ୍‌ ସବୁ ବିକ୍ରି କରାଯାଇଥା’ନ୍ତା। ତେବେ ଧରାପଡ଼ିଯିବା ଆଶଙ୍କାରେ ଭୋଗରାଇ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ହୋଟେଲ୍‌ ମାଲିକ ଜୟନ୍ତ ମାଇତିଙ୍କ ପୁଅ ସୌମ୍ୟଦୀପ ନାଁରେ ପୂର୍ବରୁ ବିଭିନ୍ନ ଆପରାଧିକ ମାମଲା ରହିଛି। ଏକ ମାମଲାରେ ସୌମ୍ୟଦୀପକୁ ୟୁପି ପୁଲିସ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *