କଟକ: ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରଠାରେ ୪୨ ମୌଜାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ’ ତରଫରୁ ଲୁକ୍କାୟିତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମାଜସେବୀ ଶ୍ରୀଯୁକ୍ତ ବିନୋଦ କୁମାର ନାୟକଙ୍କ ବାସଭବନରେ ଯୁବ ସମାଜସେବୀ ମିର୍ଜା ସରାଫତ ବେଗଙ୍କ ତତ୍ତ୍ୱାବଧାନରେ ଏହି ସମ୍ବର୍ଦ୍ଧନା ସମାରୋହ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ‘ଦୟାନିଧି ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ମାନିତ ପ୍ରତିଭାମାନଙ୍କ ମଧ୍ୟରେ କବି ତଥା ଯୁଗ୍ମ ନିର୍ଦ୍ଦେଶକ (ଟ୍ରେଜେରୀ) ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ବେହେରା, କବୟିତ୍ରୀ, ସାହିତ୍ୟିକ ତଥା ଉପବିଭାଗ ଅଧିକାରୀ ଶ୍ରୀମତୀ ଅପରାଜିତା ବେସନ, ସରକାରୀ ଶିକ୍ଷକ, ସମାଜସେବୀ ତଥା ମଞ୍ଚ ପରିଚାଳକ ଶ୍ରୀଯୁକ୍ତ ବିନୋଦ କୁମାର ନାୟକ, କୁନି କାସିଓ ବାଦିକା ଶ୍ରେୟାଂଶି ସମନ୍ୱିତା ଏବଂ କୁନି କଣ୍ଠଶିଳ୍ପୀ ଅଞ୍ଜଲ ଆଶ୍ୱାସନା ପ୍ରମୁଖ ସାମିଲ ଥିଲେ।
ଅନୁଷ୍ଠାନର ସମ୍ପାଦକ ଶ୍ରୀ ନାରାୟଣ ଚନ୍ଦ୍ର ମହାନ୍ତି, ସଭାପତି ଶ୍ରୀମତୀ ସରୋଜ ନଳିନୀ ପରିଜା, ସଂଗୀତଜ୍ଞ ଶଶିକାନ୍ତ ସାହୂ, ସାମ୍ବାଦିକ ଅଫସାର ଅଲ୍ଲୀ, ଚନ୍ଦନ ମହାନ୍ତି ଏବଂ ଡମ୍ବରୁଧର ସାହୂ ପ୍ରମୁଖ ଉପସ୍ଥିତ ରହି ପ୍ରତିଭାମାନଙ୍କୁ ଉତ୍ତରୀୟ, ମାନପତ୍ର, ଟ୍ରଫି ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।
ଘରେ ପହଞ୍ଚି ଏଭଳି ନିଆରା ଢଙ୍ଗରେ ସମ୍ବର୍ଦ୍ଧନା ଦିଆଯାଇଥିବାରୁ ସମ୍ମାନିତ ବ୍ୟକ୍ତିମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଅନୁଷ୍ଠାନର ଏହି ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ିଶାରେ ଲୁକ୍କାୟିତ ପ୍ରତିଭା ଚିହ୍ନଟ କ୍ଷେତ୍ରରେ ଏହା ଏକ ସ୍ୱତନ୍ତ୍ର ପଦକ୍ଷେପ ବୋଲି ଅଭିହିତ କରି ସେମାନେ ପ୍ରତିଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଓ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
