ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ (ଏମ୍ଏମ୍ଡିଆର୍) ସଂଶୋଧନ ଆଇନ ବିରୋଧରେ ଆଜି ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍ଜିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି ବିକ୍ଷୋଭ ସମାବେଶରେ ଯୋଗଦେଇ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ୍ ହୋଇ ଲଢ଼ିବାକୁ ଆହ୍ୱାନ ଦେଇଛନ୍ତି।
ସମାବେଶକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, “ଏହି ସଂଶୋଧନ ଆଇନ ଓଡ଼ିଶାର ଅଧିକାର ଛଡ଼ାଇ ନେଇଛି ଏବଂ ଆମର ଯୁବପିଢ଼ି ତଥା ‘ଜେନ୍-ଜି’ଙ୍କ ଭବିଷ୍ୟତକୁ ବିପଦ ମଧ୍ୟକୁ ଠେଲି ଦେଇଛି। ତେଣୁ ରାଜ୍ୟର ସ୍ୱାର୍ଥ ଓ ଯୁବପିଢ଼ିଙ୍କ ଅଧିକାର ପାଇଁ ଆମକୁ ଏକାଠି ଲଢ଼ିବାକୁ ହେବ। ଓଡ଼ିଶାର ହକ୍ ପାଇଁ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ। ଏହି ଲଢ଼େଇ କେବଳ ବିଜେଡିର ନୁହେଁ, ବରଂ ସାଢ଼େ ଚାରି କୋଟି ଓଡ଼ିଆଙ୍କ ସ୍ୱାଭିମାନର ଲଢ଼େଇ।”
ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରି ସେ ଆହୁରି କହିଛନ୍ତି ଯେ, ଏହି କଳା ଆଇନକୁ ବିରୋଧ କରି ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇବା ଏବଂ ସର୍ବସମ୍ମତ ପ୍ରସ୍ତାବ ପାରିତ କରିବା ନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କୁ ଦୁଇ-ଦୁଇ ଥର ଚିଠି ଲେଖିଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ। ସେହିପରି ରାଜ୍ୟର ୨୦ ଜଣ ବିଜେପି ସାଂସଦଙ୍କୁ ଦିଆଯାଇଥିବା ପତ୍ରର ମଧ୍ୟ କୌଣସି ଜବାବ ଆସିନାହିଁ।
ସେ କହିଛନ୍ତି, “ଏହି ସରକାର କେବଳ ବାକ୍ୟବୀର ସାଜିଛି। ଏହି ଆଇନ ଲାଗୁ ହେବା ଦ୍ୱାରା ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ। ତଥାପି ଓଡ଼ିଶାର ସ୍ୱାର୍ଥ ରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର କାହିଁକି ନୀରବ? ମାଟିଠାରୁ ଦଳ କେବେ ବି ବଡ଼ ହୋଇପାରିବ ନାହିଁ। କ୍ଷମତାର ଚୌକି ଆଜି ଅଛି କାଲି ନ ଥିବ; କିନ୍ତୁ ଏହି ମାଟି ସହ ବିଶ୍ୱାସଘାତକତା କଲେ ଇତିହାସ କେବେ କ୍ଷମା କରିବ ନାହିଁ। ଆମର ଜେନ୍-ଜି ପିଢ଼ି ଏବଂ ସମଗ୍ର ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ। ତେଣୁ ଏହି ସଂଶୋଧନ ଆଇନକୁ ଓଡ଼ିଶା ମାଟିରେ କାର୍ଯ୍ୟକାରୀ କରାଇ ନ ଦେବାକୁ ଆମ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ।”
ଏହି ବିଶାଳ ପ୍ରତିବାଦ ସଭାରେ ରାଜ୍ୟର କୋଣଅନୁକୋଣରୁ ହଜାର ହଜାର କର୍ମୀ ଓ ଜନସାଧାରଣ ସାମିଲ ହୋଇଥିଲେ। ଦଳର ବରିଷ୍ଠ ନେତୃବୃନ୍ଦ ଉଦ୍ବୋଧନ ଦେଇ ଏହି ଆଇନ ଓଡ଼ିଶା ପ୍ରତି ଘୋର ଅନ୍ୟାୟ ବୋଲି ଅଭିହିତ କରିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।
