ନିଶ୍ଚିନ୍ତକୋଇଲି : ରାସ୍ତା ଅଛି, କିନ୍ତୁ ଚାଲିବା ଅସମ୍ଭବ। ବର୍ଷା ଟିକେ ହେଲେ ଯେମିତି ସ୍ଥାଣୁ ପାଲଟିଯାଏ ସାରା ଗାଁର ଜୀବନଯାତ୍ରା। ଜରୁରୀ ପରିସ୍ଥିତିରେ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ପହଞ୍ଚିପାରୁ ନ ଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ୍ ଯିବା ମଧ୍ୟ ଦୁର୍ବିସହ ହୋଇପଡ଼ୁଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଞ୍ଚାୟତ ମାଳିଙ୍ଗା ଗ୍ରାମ ୮ ନମ୍ବର ୱାର୍ଡ ଅନ୍ତର୍ଗତ କୁଞ୍ଜବିହାରୀ ପାଟଣା ରାସ୍ତାର ଏଭଳି ବେହାଲ ଅବସ୍ଥା ଦୀର୍ଘ ଦିନ ଧରି ଗ୍ରାମବାସୀଙ୍କୁ ହନ୍ତସନ୍ତ କରୁଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ମରାମତି ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ଗୁହାରି କଲେ କେବଳ ‘ହୋଇଯିବ’ ବୋଲି ପ୍ରତିଶ୍ରୁତି ମିଳୁଛି। ସେହିପରି ସ୍ଥାନୀୟ ବିଧାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ‘ଅତି ଶୀଘ୍ର କାମ ହେବ’ ବୋଲି ଆଶ୍ୱାସନା ଦିଆଯାଉଛି। ମାତ୍ର ପ୍ରଶାସନ ଓ ଜନପ୍ରତିନିଧିଙ୍କ ଏହି ‘ଶୀଘ୍ର’ ଆଉ କେତେ ଦିନ—ତାହା ଏବେ ଗ୍ରାମବାସୀଙ୍କ ପାଇଁ ବଡ଼ ପ୍ରଶ୍ନବାଚୀ ପାଲଟିଛି।
ବର୍ଷାଦିନିଆ ଯାତାୟାତ ଯନ୍ତ୍ରଣାରୁ ମୁକ୍ତି ଦେବା ସହ ଜରୁରୀକାଳୀନ ସେବାକୁ ସୁଗମ କରିବା ପାଇଁ ଉକ୍ତ କୁଞ୍ଜବିହାରୀ ପାଟଣା ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ପକ୍କା ନିର୍ମାଣ ତଥା ମରାମତି କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।
