ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତର ଧୂଆଁପାରି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ପ୍ରଧାନଶିକ୍ଷକ ଗୌରୀଶଙ୍କର ଜେନାଙ୍କୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ସମ୍ମାନିତ କରାଯାଇଛି। ଗତ ଗୁରୁବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସଭାରେ ପ୍ରାକ୍ତନ ପ୍ରଧାନଶିକ୍ଷକ ସୁନାକର ନାୟକ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବିକ୍ରମକେଶରୀ ସ୍ୱାଇଁ (ମୁନା) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ରାଜ୍ୟ ସଭାପତି ଅକ୍ଷୟ କୁମାର ଦାସ ମୁଖ୍ୟବକ୍ତା ଏବଂ ପୂର୍ବତନ ଶିକ୍ଷାଧିକାରୀ ବାଇଧର ତ୍ରିପାଠୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା ସୁରେନ୍ଦ୍ର କୁମାର ମହାପାତ୍ର, ସମରେନ୍ଦ୍ର ସାହୁ, ରବୀନ୍ଦ୍ର ନାଥ ବିଶ୍ୱାଳ, ଅକ୍ଷୟ କୁମାର ନାୟକ, ପୂର୍ବତନ ସରପଞ୍ଚ ବିଭୁତିଭୂଷଣ ଦାଶ, ବସନ୍ତ କୁମାର ମିଶ୍ର, ମନୋଜ କୁମାର ରାଉତ, ହେମନ୍ତ କୁମାର ଦାଶ ଓ ବିଜୟ କୁମାର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ଜେନାଙ୍କର କାର୍ଯ୍ୟଦକ୍ଷତା, ଆଦର୍ଶ ଶିକ୍ଷକତା ଓ ଛାତ୍ରବତ୍ସଳତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ, ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କ ତରଫରୁ ତାଙ୍କୁ ଉତ୍ତରୀୟ, ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ବାଗ୍ମୀ ଶିକ୍ଷକ ବାବୁଲି ସ୍ୱାଇଁ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଶିକ୍ଷକ ଟୁଟୁ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରଣତି ବେହେରା, ମୀରା କୁମାରୀ ସେଠୀ, ପ୍ରଦୀପ୍ତ କୁମାର ରାଉତ, ବିଶ୍ୱନାଥ ଗିରି ଏବଂ ପ୍ରଧାନଶିକ୍ଷକ ଜଗନ୍ନାଥ ସ୍ୱାଇଁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ରଶ୍ମୀରଞ୍ଜନ ଉତ୍ତରାସିଂହ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
