ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ୧୭୮ତମ ମଧୁବାବୁଙ୍କ ଜୟନ୍ତୀ ପାଳିତ

ରାଜ୍ୟ
Spread the love

ମାହାଙ୍ଗା :  ସମ୍ବାଦ ସାହିତ୍ୟ ଘର ଓ ବୁଦ୍ଧିଜୀବୀ ସାରସ୍ୱତ ସେବା ସଂଗଠନର ମାହାଙ୍ଗାର ମିଳିତ ସହଯୋଗରେ ଶହୀଦ ଭବନ ମଣିଯୋରୀ ପ୍ରାଙ୍ଗଣରେ ଉତ୍କଳ ଗୌରବ ମଧୁ ସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ ପାଳିତ ହୋଇଯାଇଛି । ମାହାଙ୍ଗା ସାହିତ୍ୟ ଘର ସମ୍ପାଦକ ତଥା ମହିମାଧର୍ମର ବିଶିଷ୍ଟ ଗବେଷକ ଡକ୍ଟର ଏକାଦଶୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାରସ୍ୱତ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଭାଷା ଭିତ୍ତିକ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ, ଓଡ଼ିଆ ଅସ୍ମିତାର ମହାନାୟକ, ମଧୁବାବୁଙ୍କ ତ୍ୟାଗ ଓ ମହନୀୟତା ଏ ଜାତି ପାଇଁ ଚିର ଅମଳିନ ବୋଲି ବୋଲି କହିଥିଲେ ।

ଏହି ଉତ୍ସବରେ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଜନାର୍ଦ୍ଦନ ରାଉତ ମୁଖ ଅତିଥି ଭାବେ  ଗଦେଇ,ଓଡ଼ିଆ ଜାତିର ସ୍ୱାଭିମାନୀ ପୁରୁଷ ମଧୁବାବୁଙ୍କ ବହୁମୁଖୀ ଜୀବନାଦର୍ଶ ଯୁବ ସମାଜ ପାଇଁ ଧେୟ ହେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ମଧୁବାବୁଙ୍କ ପାଇଁ ପ୍ରତିଟି ଓଡ଼ିଆ ଆଜି ଗର୍ବିତ ବୋଲି ମତବ୍ୟକ୍ତ କରିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ସାରସ୍ୱତ ସେବା ମଞ୍ଚ ମାହାଙ୍ଗାର ସଭାପତି ଶିକ୍ଷାବିତ ଡକ୍ଟର ଭାବଗ୍ରାହୀ ରାଉତ ଯୋଗଦେଇ ମଧୁବାବୁଙ୍କୁ ସେବା ଓ ତ୍ୟାଗର ପ୍ରତୀକ ବୋଲି କହିଥିଲେ ।
ବରେଣ୍ୟ ଅତିଥି ଭାବେ ସାହିତ୍ୟିକ ରସରାଜ ବୀରକିଶୋର ସ୍ୱାଇଁ,ଶିକ୍ଷାବିତ ଅକ୍ଷୟ କୁମାର ରାୟ ଚୌଧୁରୀ,କବି ପ୍ରଫୁଲ୍ଲ କୁମାର ସାହୁ,କବି ଅକ୍ଷୟ କୁମାର ଖଟୁଆ,ସମାଜସେବୀ ହରିବନ୍ଧୁ ରାଉତ, ଶିକ୍ଷାବିତ ଉପେନ୍ଦ୍ର ନାଥ ମଙ୍ଗରାଜ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମଧୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବୀ କରିଥିଲେ ।  ମାହାଙ୍ଗା ବୁଦ୍ଧିଜୀବୀ ସାରସ୍ୱତ ସେବା ସଂଗଠନର ଆବାହକ ନଳିନୀକାନ୍ତ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସରୋଜବନ୍ଧୁ ସାହୁ ଦେଶାତ୍ମକ ବୋଧକ ସଂଗୀତ ଗାନ କରିଥିବା ବେଳେ ସାମ୍ବାଦିକ ବିଜୟ କୁମାର କୁଅଁର କବିତା ଆବୃତ୍ତି କରିଥିଲେ ।
ଏହି ଉତ୍ସବକୁ ମାହାଙ୍ଗା ସାହିତ୍ୟ ଘର ଆବାହକ ତଥା ସମ୍ବାଦ ପ୍ରତିନିଧି ସାମ୍ବାଦିକ ଦୀପକ କୁମାର ସାହୁ ସଂଯୋଜନା କରିବା ଦେଖିବାକୁ ମିଳିଥିଲା ।
ବହୁ ସାହିତ୍ୟିକ, ସାମ୍ବାଦିକ, ଅଧ୍ୟାପକ ଓ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଉତ୍ସବକୁ ବିଜୟ କୁମାର ନାୟକ,ରାଜକିଶୋର ଜେନା,ଅପୂର୍ବ ମହାନ୍ତି, ଭ୍ରମରବର ଦାସ, ପର୍ଶୁରାମ ସେଠୀ, ହଳଧର ଦାସ, ବୈରାଗୀ ଚରଣ ବାରିକ, ଜାନକୀ ବଲ୍ଲଭ ସ୍ୱାଇଁ, ରାଜେଶ ସାହୁ,ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉତ୍ସବରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *