Pet

ଆସନ୍ତାକାଲି ରାଜ୍ୟରେ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ୍‌

ରାଜ୍ୟ
Spread the love

ଭୁବନେଶ୍ବର: ରାଜ୍ୟରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ସଂଘ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛି। ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ଅପରାହ୍‌ଣ ୪ଟା ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଆସୋସିଏସନ ନୀତିଗତ ଭାବରେ ନିଷ୍ପତ୍ତି ନେଇଛି। ବ୍ୟବସାୟରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହେବ। ୩ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଉର୍ଦ୍ଧ୍ବ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ପେଟ୍ରୋଲ ଡିଲର ଆସୋସିଏସନର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସର୍ବଭାରତୀୟ ପେଟ୍ରୋଲିୟମ ଡିଲର ମହାସଂଘ୍ ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି, ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଏହା ପରେ ସମସ୍ତ ପେଟ୍ରୋଲ ପମ୍ପ ଖୋଲିବ।

ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତି ଜୋର୍‌ ଧରିଥିବା ବେଳେ କଂଗ୍ରେସ ପକ୍ଷରୁ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ କଂଗ୍ରେସ ସମେତ ସମସ୍ତ ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍ଏଲ), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏନ୍‌ସିପି, ଏସ୍‌ପି ଓ ଆର୍‌ଜେଡି ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦ ଯୋଗୁଁ ଗୁରୁବାର ବିଦ୍ୟାଳୟ, କଲେଜ ଓ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। କଂଗ୍ରେସ ଭବନଠାରେ ଆୟୋଜିତ ବିଭିନ୍ନ ଦଳର ମିଳିତ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ଏ ସଂପର୍କରେ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ବାଲେଶ୍ବରର କଲେଜ ଛାତ୍ରୀ ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍‌ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ଶତ ଚେଷ୍ଟା ପରେ ମଧ୍ୟ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ପୂର୍ବାହ୍‌ଣରେ ଅନ୍ତିମ ସଂସ୍କାର କରାଯାଇଥିଲା।

Leave a Reply

Your email address will not be published. Required fields are marked *