କଟକ : କଟକସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ କନଷ୍ଟେବଳଙ୍କ ଠାରୁ ଆରମ୍ଭ କରି ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ୭୧ତମ ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ଏହାକୁ ଉଦ୍ଘାଟନ କରିଥିବା ବେଳେ କ୍ରାଇମବ୍ରାଞ୍ଚ ଆଇଜିପି ଡ଼ଃ ସାର୍ଥକ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ଅବସରରେ ଡ଼ଃ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ କ୍ରାଇମବ୍ରାଞ୍ଚ ଡିଆଇଜି ଶ୍ରୀ ମଡ଼କର ସନ୍ଦୀପ ସମ୍ପଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦ୍ଘାଟନୀ ସମାରୋହରେ ରାଜ୍ୟ ପୋଲିସର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ୩୯ଟି ପୋଲିସ ୟୁନିଟ୍ରୁ ୪୪ ଜଣ ଇନ୍ସପେକ୍ଟର, ୫୨ ଜଣ ଏସ୍.ଆଇ., ୫୪ ଜଣ ଏ.ଏସ୍.ଆଇ., ୧୭ ଜଣ ହାବିଲଦାର ଏବଂ ୧୫୨ ଜଣ କନଷ୍ଟେବଳଙ୍କ ସମେତ ମୋଟ ୩୧୯ ଜଣ ପ୍ରତିଯୋଗୀ, ୪୫ଟି ସନ୍ଧାନୀ ଶ୍ୱାନ ଓ ୪୫ ଜଣ ହ୍ୟାଣ୍ଡେଲର ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତାରେ ଉତ୍କର୍ଷ ପ୍ରଦର୍ଶନ କରୁଥିବା ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇ ଆଗାମୀ ‘ସର୍ବଭାରତୀୟ ପୋଲିସ ଡ୍ୟୁଟି ମିଟ୍’ ପାଇଁ ଓଡ଼ିଶା ପୋଲିସର ଦଳ ଗଠନ କରାଯିବ। ପ୍ରତିଯୋଗୀମାନଙ୍କୁ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ପରସ୍ପରଠାରୁ ଶିଖି ଓଡ଼ିଶା ପୋଲିସର ଗୌରବ ବୃଦ୍ଧି କରିବାକୁ ଡିଜିପି ଆହ୍ୱାନ ଦେଇଥିଲେ।
ଡିଜିପି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ ଅପରାଧ ନିରାକରଣ, ସଠିକ୍ ତଦନ୍ତ ଏବଂ ଆଇନର ଶାସନ ପ୍ରତିଷ୍ଠା କରିବା ପୋଲିସର ମୁଖ୍ୟ ଦାୟିତ୍ୱ। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ ହେବା ପରେ ବୈଜ୍ଞାନିକ ତଦନ୍ତ, ଫରେନସିକ୍ ତଥା ଡିଜିଟାଲ୍ ପ୍ରମାଣର ଉପଯୁକ୍ତ ବ୍ୟବହାର ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଏଥିସହ ସାଇବର କ୍ରାଇମ୍, ଅନଲାଇନ୍ ଠକେଇ, ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ଭଳି ଆଧୁନିକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପୋଲିସ ବାହିନୀକୁ ବୈଜ୍ଞାନିକ ଓ ପ୍ରଯୁକ୍ତିଗତ ଜ୍ଞାନରେ ନିରନ୍ତର ସମୃଦ୍ଧ ହେବାକୁ ପଡ଼ିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ବିଗତ ବର୍ଷଗୁଡ଼ିକରେ ସଂଗଠିତ ଅପରାଧ, ଉଗ୍ରବାଦ, ନିଶା କାରବାର ଓ ମାନବ ଚାଲାଣ ରୋକିବାରେ ଓଡ଼ିଶା ପୋଲିସର ସଫଳତାକୁ ସେ ପ୍ରଶଂସା କରିଥିଲେ। ବିଶେଷକରି POCSO ମାମଲାରେ ତ୍ୱରିତ ତଦନ୍ତ ଏବଂ ଝାରସୁଗୁଡ଼ାର ଏକ ଚୋରି ମାମଲାରେ ମାତ୍ର ୧୭ ଦିନ ମଧ୍ୟରେ ଦୋଷୀ ସାବ୍ୟସ୍ତ କରାଇଥିବାରୁ ସେ ଝାରସୁଗୁଡ଼ା ଏସ୍ପି ଓ ତାଙ୍କ ଟିମ୍କୁ ସାଧୁବାଦ ଜଣାଇଥିଲେ। ନାଗରିକଙ୍କ ସୁରକ୍ଷା, ମହିଳା ଓ ଶିଶୁଙ୍କ ନିରାପତ୍ତା, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ରକ୍ଷା ଏବଂ ହିଂସା ନିୟନ୍ତ୍ରଣ ପୋଲିସର ସର୍ବୋଚ୍ଚ ପ୍ରାଥମିକତା ବୋଲି ଉଲ୍ଲେଖ କରିବା ସହ ଜନସାଧାରଣଙ୍କ ଆସ୍ଥା ହିଁ ପୋଲିସର ସବୁଠାରୁ ବଡ଼ ଶକ୍ତି ବୋଲି ଡିଜିପି ପ୍ରକାଶ କରିଥିଲେ।
