ମାହାଙ୍ଗା : ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ କୁହୁଣ୍ଡା ଦଳିତ ବସ୍ତିରେ ଚଳିତ ବର୍ଷର ଗଣେଶ ପୂଜା ତଥା ଭଷାଣି ଉତ୍ସବ ବେଶ୍ ଧୁମଧାମ ଓ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ହରି ଗୋସେଇଁ ପୂଜା କମିଟି ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀ ଏବଂ କମିଟି କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଏହି ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ସମ୍ପନ୍ନ ହୋଇଛି।
ଏହି ସାର୍ବଜନୀନ ଗଣେଶ ମହୋତ୍ସବ ଅବସରରେ କୋଠପଦା ବଜାରଠାରେ ପୂଜା କମିଟି ପକ୍ଷରୁ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ଦାଶ, କ୍ଷୀରେନ୍ଦ୍ର ନାଥ ମହାରଣା, ହେମନ୍ତ ପ୍ରଧାନ, ନିରଞ୍ଜନ ମୁଦୁଲି, ଗଣେଶ ବିହାରୀ, ମନୋଜ ଯେନା, ସନାତନ ବିହାରୀ, ବାସବ ବେହେରା, ରଘୁନାଥ ଯେନା, ସୁଶାନ୍ତ ନନ୍ଦ ଏବଂ ଜଗନ୍ନାଥ ନାୟକ ପ୍ରମୁଖଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହାପରେ ବନଗୁରିଆସ୍ଥିତ ଶଶୀପ୍ରଭା ନର୍ସିଙ୍ଗ୍ ସ୍କୁଲ ନିକଟରୁ ପ୍ରଭୁ ଗଜାନନଙ୍କ ମୃଣ୍ମୟ ମୂର୍ତ୍ତିକୁ ବାଜା, ବାଣ ଓ ରୋଷଣୀ ସହ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା। ପଟୁଆରଟି କୋଠପଦା, କୁହୁଣ୍ଡା ଓ ବନଗୁରିଆ ଆଦି ବିଭିନ୍ନ ଗ୍ରାମ ପରିକ୍ରମା କରି ବିରୂପା ନଦୀରେ ପହଞ୍ଚିବା ପରେ ସେଠାରେ ପ୍ରଭୁଙ୍କ ବିଗ୍ରହ ଭକ୍ତିପୂତ ପରିବେଶରେ ବିସର୍ଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ କମିଟି ସଦସ୍ୟ ବାବୁଲି ଯେନା, ରମେଶ ଯେନା, ବିମ୍ବାଧର ମଲ୍ଲିକ, ଭରତ ମଲ୍ଲିକ, ପହଲି ମଲ୍ଲିକ, ରାଜକିଶୋର ମଲ୍ଲିକ, ପରେଶ୍ୱର ଯେନା, ହେମନ୍ତ ମଲ୍ଲିକ, ଭାଗ୍ୟଧର ମଲ୍ଲିକ, ଚକ୍ରଧର ଯେନା, ବଣ୍ଟି ଯେନା, ଭିକି ଯେନା ଏବଂ ରାମଚନ୍ଦ୍ର ଯେନା ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ଭଷାଣି ଶୋଭାଯାତ୍ରା ତଥା ସମ୍ବର୍ଦ୍ଧନା ସଭାରେ ଶହ ଶହ ସ୍ଥାନୀୟ ଶ୍ରଦ୍ଧାଳୁ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ।
