ଡିଜିପିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଛାତ୍ର ସଂସଦ ନିର୍ବାଚନ, ମହିଳା ସୁରକ୍ଷା ଓ ନିଶା କାରବାର ରୋକିବା ଉପରେ କଡ଼ା ନିର୍ଦ୍ଦେଶ

ରାଜ୍ୟ
Spread the love

ଭୁବନେଶ୍ବର :  ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଡିଜିପି ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି ଏବଂ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ, ପର୍ବପର୍ବାଣୀ ସମୟରେ ଆଇନଶୃଙ୍ଖଳା ରକ୍ଷା, ମହିଳା ସୁରକ୍ଷା, ସାଇବର ଅପରାଧ ନିୟନ୍ତ୍ରଣ, ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଏବଂ ନୂତନ ଅପରାଧ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।

ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ଡିଜିପି ବିଶେଷ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଛାତ୍ରଛାତ୍ରୀ ଏକ ସମ୍ବେଦନଶୀଳ ଗୋଷ୍ଠୀ ହୋଇଥିବାରୁ ସେମାନଙ୍କ ସହ ନିରନ୍ତର ସମ୍ପର୍କ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଥାନା ଅଧିକାରୀ ଓ ଏସ୍‌ଡିପିଓମାନେ ଛାତ୍ର ନେତାଙ୍କ ସହ ବୈଠକ କରି ସମନ୍ୱୟ ରକ୍ଷା କରିବେ। କଲେଜ ପରିସରକୁ ଅଣଛାତ୍ର ଓ ଅସାମାଜିକ ତତ୍ତ୍ୱଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ସହ ହଷ୍ଟେଲ ଓ ମେସ୍‌ଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ବିନା କୌଣସି ହିଂସା ଆଶଙ୍କାରେ ଅନାବଶ୍ୟକ ପୋଲିସ ବଳ ମୁତୟନ ନ କରିବାକୁ ଡିଜିପି ସ୍ପଷ୍ଟ କରିଛନ୍ତି। ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାପାଳ, ଏସ୍‌ପି, ଉପଜିଲ୍ଲାପାଳ ଓ କଲେଜ ଅଧ୍ୟକ୍ଷଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯିବ ଏବଂ ଫଳାଫଳ ଘୋଷଣା ପରେ ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମହିଳା ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମ୍ବେଦନଶୀଳ ମାମଲାଗୁଡ଼ିକର ତ୍ୱରିତ, ନିରପେକ୍ଷ ଓ ଫଳପ୍ରଦ ତଦନ୍ତ ସୁନିଶ୍ଚିତ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଭୁବନେଶ୍ୱରରେ ଜଣେ ଯୁବତୀଙ୍କ ସହ ଘଟିଥିବା ଅପରାଧିକ ଘଟଣାକୁ ଗମ୍ଭୀରତାର ସହ ନେଇ ସାରା ରାଜ୍ୟରେ ମହିଳାଙ୍କ ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଏଥିସହ ସାଇବର ଥାନାଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି କରି ଡିଜିଟାଲ୍ ଠକେଇ ଓ ସାଇବର ଅପରାଧ ମାମଲାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଅପରାଧ ନିୟନ୍ତ୍ରଣ ପାଇଁ ଅଭ୍ୟାସଗତ ଓ ସଂଗଠିତ ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅଧୀନରେ ଡ୍ରଗ୍ସ ଚୋରାଚାଲାଣକାରୀ ଓ ସେମାନଙ୍କ ନେଟୱର୍କକୁ ଧ୍ୱଂସ କରିବା, NDPS ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାକୁ କୁହାଯାଇଛି। ଏହା ସହିତ ନୂତନ ଅପରାଧ ଆଇନର ସଫଳ କାର୍ଯ୍ୟକାରିତା ଓ ପୋଲିସ ଭିତ୍ତିଭୂମିର ଉନ୍ନତିକରଣ ଉପରେ ସେ ଆଲୋକପାତ କରିଛନ୍ତି।

ଏହି ସମୀକ୍ଷା ବୈଠକରେ ଏଡିଜିପି (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜିପି (ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, ଭୁବନେଶ୍ୱର-କଟକ ପୋଲିସ କମିଶନର ଡଃ ଏସ୍. ଦେବଦତ୍ତ ସିଂ, ଏଡିଜିପି (ଏସ୍‌ଏପି) ଶ୍ରୀ ରାଜେଶ କୁମାର, ଏଡିଜିପି (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଏଡିଜିପି (ଏଚ୍‌ଆର୍‌ପିସି) ଶ୍ରୀ ୟତୀନ୍ଦ୍ର କୋଏଲ, ଆଇଜିପି (ଏସ୍‌ଟିଏଫ୍) ଶ୍ରୀ ହିମାଂଶୁ ଲାଲ, ଆଇଜିପି (ଗୁଇନ୍ଦା) ଶ୍ରୀ ସତ୍ୟବ୍ରତ ଭୋଇ, ଏସ୍‌ସିଆର୍‌ବି ନିର୍ଦ୍ଦେଶକ ଶ୍ରୀ ଅବିନାଶ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଡଃ ସାର୍ଥକ ଷଡ଼ଙ୍ଗୀ, ଆଇଜିପି (ପ୍ରୋଭିଜନିଂ) ଶ୍ରୀ ନୀତି ଶେଖର, ଆଇଜିପି (ତାଲିମ) ଶ୍ରୀ ଅନୁପ ସାହୁ, ଡିଆଇଜିପି (ଏସ୍‌ଟିଏଫ୍) ଡଃ କନୱର ବିଶାଳ ସିଂ, ଡିଆଇଜିପି (ଏଚ୍‌ଆର୍‌ପିସି) ଶ୍ରୀ ରାଜେଶ ପଣ୍ଡିତ, ଡିଆଇଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ମଡ଼କର ସନ୍ଦୀପ ସମ୍ପଦ, ଡିଆଇଜିପି (ପର୍ସୋନେଲ) ଶ୍ରୀ ଯୁଗଳ କିଶୋର କୁମାର ବନୋଥଙ୍କ ସମେତ ସମସ୍ତ ରେଞ୍ଜ ଆଇଜି/ଡିଆଇଜି ଓ ଜିଲ୍ଲା ଏସ୍‌ପି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *