ବାଣଭିଡ଼ିଲା ବେଳେ ବିସ୍ଫୋରଣ ଘଟି ବାପ-ପୁଅଙ୍କ ମୃତ୍ୟୁ

ରାଜ୍ୟ
Spread the love

ଝଙ୍କଡ଼: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧୀନ ପଟିଲୋ ପଞ୍ଚାୟତର ମହିଳୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗୁରୁବାର ମଧ୍ୟାହ୍ନରେ ଘଟିଥିବା ଏକ ଶକ୍ତିଶାଳୀ ବିସ୍ଫୋରଣରେ ବାପ-ପୁଅଙ୍କ ଜୀବନ ଯାଇଥିବା ବେଳେ ଜଣେ ଭଡ଼ାଟିଆ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ ମନୋରଞ୍ଜନ ସ୍ୱାଇଁ (୫୧) ଓ ତାଙ୍କ ପୁଅ ସୋନୁ (୨୨)।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ମଧ୍ୟାହ୍ନରେ ଉଭୟ ବାପ-ପୁଅ ଘରେ ବାଣ ଭିଡୁଥିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟିଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ, ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ଏହି ଅଘଟଣ ଘଟିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଏହି ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ସେହି ଘରେ ଭଡ଼ାରେ ରହୁଥିବା ଜଣେ ଶିକ୍ଷକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।

ଏକା ସାଙ୍ଗରେ ବାପ-ପୁଅ ଦୁହିଁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଖବର ପାଇ ତିର୍ତ୍ତୋଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହା ବାଣ ବିସ୍ଫୋରଣ ନା ଗ୍ୟାସ ଟାଙ୍କି ଫାଟି ଏପରି ଘଟିଛି, ସେ ନେଇ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପୁଲିସ ଫରେନସିକ୍ ଟିମ୍ ସହାୟତାରେ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *