ଭୁବନେଶ୍ୱର: ଡବଲ୍ ଇଞ୍ଜିନ୍ ସରକାର ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ‘ଜନସମ୍ପର୍କ ପଦଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ଯୋଗୁଁ ଓଡ଼ିଶା ସମଗ୍ର ଦେଶରେ ଏକ ମଡେଲ୍ ରାଜ୍ୟ ଭାବେ ପରିଚିତ ହୋଇପାରିଥିଲା। ମାତ୍ର ବର୍ତ୍ତମାନର ଅପାରଗ ଡବଲ୍ ଇଞ୍ଜିନ୍ ସରକାର ରାଜ୍ୟର ସେହି ଭାବମୂର୍ତ୍ତିକୁ ସମ୍ପୂର୍ଣ୍ଣ ମଳିନ କରିସାରିଲାଣି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି।
ପଦଯାତ୍ରା ସମୟରେ ଡବଲ୍ ଇଞ୍ଜିନ୍ ସରକାରର ବିଫଳତାକୁ ଘରେ ଘରେ ପହଞ୍ଚାଇ ଲୋକଙ୍କୁ ସଚେତନ କରିବାକୁ ନବୀନ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଓ ଶ୍ରୀ ମନ୍ମଥ ରାଉତରାୟ ଉଦ୍ବୋଧନ ଦେଇ ରାଜ୍ୟ ସରକାରଙ୍କ ଲୋକବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ। ସମାବେଶରେ ସ୍ଥାନୀୟ କର୍ପୋରେଟରମାନେ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା।
