ଗଣେଶ୍ୱର ଉଚ୍ଚ ବିଦ୍ୟାଳୟରେ ସାରଳା ସାହିତ୍ୟ ସଭା ଅନୁଷ୍ଠିତ

ରାଜ୍ୟ
Spread the love

ଝଙ୍କଡ଼ : କୁଜଙ୍ଗ ବ୍ଲକ୍ ସାଇଲୋ ପଞ୍ଚାୟତ ଅନ୍ତର୍ଗତ ମୁଥାପଦାସ୍ଥିତ ଗଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ‘ଓଡ଼ିଆ ଭାଷା ସାହିତ୍ୟକୁ ସାରଳା ଦାସଙ୍କ ଅବଦାନ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ଇତିବୃତ୍ତି ଉପରେ ଆଲୋକପାତ କରିଥିଲେ। ସାରଳା ଦାସଙ୍କ ରଚିତ ମହାଭାରତ ଯୋଗୁଁ ହିଁ ଓଡ଼ିଆ ଜାତି ଆଜି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସହ ପ୍ରତିଷ୍ଠିତ ଓ ବିଶ୍ୱବନ୍ଦିତ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ରୋହିତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ, ଅତିଥି ପରିଚୟ ଓ ମଞ୍ଚ ସଞ୍ଚାଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ସ୍ମରଣିକା ନନ୍ଦ, ଶୁଚିସ୍ମିତା ପଟ୍ଟନାୟକ, ଚିତ୍ତରଞ୍ଜନ ନାୟକ, ପ୍ରତିମା ବେହେରା, ମାମିନା ରାଉତ ଏବଂ ସୂର୍ଯ୍ୟକାନ୍ତ ବେଉରା ପ୍ରମୁଖ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରକୁ ଆଦିକବି ସାରଳା ଦାସଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିବା ବେଳେ ବିଦ୍ୟାଳୟ ପରିସରରେ ଏକ ଭକ୍ତିଭାବପୂର୍ଣ୍ଣ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *