ନିଶ୍ଚିନ୍ତକୋଇଲିରେ ଭବ୍ୟ ସାହିତ୍ୟ ମହୋତ୍ସବ: ଦ୍ୱିତୀୟ ଶ୍ରୀଚୈତନ୍ୟ ଯଦୁମଣି ସ୍ୱାଇଁଙ୍କ ୧୦୧ତମ ଜୟନ୍ତୀ ଓ ମାଳିକା ରଚନା ଦିବସ ଅନୁଷ୍ଠିତ

ରାଜ୍ୟ
Spread the love

ନିଶ୍ଚିନ୍ତକୋଇଲି: ଦ୍ୱିତୀୟ ଶ୍ରୀଚୈତନ୍ୟ କୀର୍ତ୍ତନଗୁରୁ ନାମାଚାର୍ଯ୍ୟ ଯଦୁମଣି ସ୍ୱାଇଁ ଓ ଭାନୁମତୀ ଦେବୀ ସ୍ମୃତି ସଂସଦ ତଥା ‘ମାଳିକା ଗବେଷଣା ପ୍ରତିଷ୍ଠାନ’ର ମିଳିତ ଆନୁକୂଲ୍ୟରେ ପବିତ୍ର ମହାଳୟା ଅବସରରେ “ନିଶ୍ଚିନ୍ତକୋଇଲି ସାହିତ୍ୟ ମହୋତ୍ସବ” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବଜାର କମିଟି ସଭାଗୃହରେ ଆୟୋଜିତ ଏହି ମହୋତ୍ସବରେ ଦ୍ୱିତୀୟ ଚୈତନ୍ୟ ଯଦୁମଣି ସ୍ୱାଇଁଙ୍କ ୧୦୧ତମ ଜୟନ୍ତୀ, ଶାରଦୀୟ କବି ସମ୍ମିଳନୀ, କବିତା ପାଠୋତ୍ସବ ଏବଂ ମାଳିକା ରଚନା ଦିବସ ପାଳିତ ହୋଇଛି। ପ୍ରତିଷ୍ଠାନର ପ୍ରତିଷ୍ଠାତା-ଅଧ୍ୟକ୍ଷ ଇଂ ପ୍ରଫେସର ଡଃ ପ୍ରସନ୍ନ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ଆବାହକତ୍ୱରେ ସମଗ୍ର କାର୍ଯ୍ୟକ୍ରମ ତିନୋଟି ପର୍ଯ୍ୟାୟରେ ସମ୍ପାଦିତ ହୋଇଥିଲା।

ପ୍ରଥମ ଅଧିବେଶନରେ ଯଦୁମଣି ସ୍ୱାଇଁଙ୍କ ଜୀବନୀ, ସ୍ମୃତି ଓ କୀର୍ତ୍ତି ଆଲୋଚିତ ହୋଇଥିଲା। ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ଫକୀର ଚରଣ ନାୟକ ସଭାପତିତ୍ୱ କରିଥିବା ବେଳେ ‘ଉର୍ବୀ’ର ସମ୍ପାଦକ କବି ଶ୍ରୀଧର ଶେଖର ମହାପାତ୍ର ମୁଖ୍ୟ ଅତିଥି, ଶିକ୍ଷାବିତ୍ ସାରଦା ମିଶ୍ର ସମ୍ମାନିତ ଅତିଥି ଏବଂ ପ୍ରବଚକ ଶରତ ଚନ୍ଦ୍ର ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଯଦୁମଣି ସ୍ୱାଇଁଙ୍କ ଦିବ୍ୟ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ।

ଦ୍ୱିତୀୟ ଅଧିବେଶନରେ ଶାରଦୀୟ କବି ସମ୍ମିଳନୀ ତଥା ଯଦୁମଣି ସ୍ୱାଇଁଙ୍କ ସ୍ମୃତି ସମ୍ବଳିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ପର୍ଯ୍ୟାୟରେ ସନ୍ଥ ବିଶ୍ୱନାଥ ମହାରାଜ ମୁଖ୍ୟ ଅତିଥି, ସମାଜସେବୀ ଭାସ୍କର ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଏବଂ ପ୍ରାକ୍ତନ ଅଧ୍ୟକ୍ଷ ବିରୂପାକ୍ଷ ରାୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।

ତୃତୀୟ ଅଧିବେଶନରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଭବିଷ୍ୟତ ମାଳିକା ଏବଂ “ମାଳିକା ରଚନା ଦିବସ” ଉପରେ ଆଲୋଚନା ହୋଇଥିଲା। ଏଥିରେ ବରିଷ୍ଠ ସନ୍ଥ ଅନାମ ଚରଣ ମୁନି ମହୋଦୟ ମୁଖ୍ୟ ଅତିଥି, ବରିଷ୍ଠ କବି, ସାମ୍ବାଦିକ ତଥା ସମାଜସେବୀ ଅକ୍ଷୟ କୁମାର ଦାସ ସମ୍ମାନିତ ଅତିଥି, ଡଃ ନିଖିଲେଶ ପଦ ମହାନ୍ତି ମୁଖ୍ୟ ବକ୍ତା ଏବଂ ବିଷ୍ଣୁ ଚରଣ ମିଶ୍ର ସମ୍ମାନିତ ବକ୍ତା ଭାବେ ଯୋଗଦେଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ କବି ପ୍ରଫୁଲ୍ଲ ସିଂ, କବୟିତ୍ରୀ ଗୀତାଞ୍ଜଳି ଭୂୟାଁ, କବି ହେମନ୍ତ କୁମାର ସାହୁ, କବି ପ୍ରଫୁଲ୍ଲ ସାହୁ, କବୟିତ୍ରୀ ସବିତା ଶତପଥୀ, କବି ଦେବେନ୍ଦ୍ର ଲେଙ୍କା, କବୟିତ୍ରୀ ଦୀପାଞ୍ଜଳୀ ମିଶ୍ର, କବି କ୍ଷୀରୋଦ କୁମାର ଦାସ, କବି ଫକୀର ଚରଣ ନାୟକ, କବୟିତ୍ରୀ ଗୀତାଞ୍ଜଳି ନାୟକ ଏବଂ କବୟିତ୍ରୀ ଲତା ବେହେରାଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ବିଶିଷ୍ଟ କବି, ଲେଖକ ଓ ସାହିତ୍ୟିକ ସ୍ୱରଚିତ କବିତା ପାଠ କରିଥିଲେ।

ଶେଷରେ ଅତିଥିମାନଙ୍କ ଦ୍ୱାରା ଉପସ୍ଥିତ ସମସ୍ତ କବି, ସାହିତ୍ୟିକ, ସାମ୍ବାଦିକ, ସମାଜସେବୀ, ମାଳିକାବିତ୍ ଓ ସାଧୁସନ୍ଥମାନଙ୍କୁ ‘ନିଶ୍ଚିନ୍ତକୋଇଲି ସାହିତ୍ୟ ମହୋତ୍ସବ ରାଜ୍ୟସ୍ତରୀୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ମହୋତ୍ସବର ଆବାହକ ଇଂ ପ୍ରଫେସର ଡଃ ପ୍ରସନ୍ନ କୁମାର ସ୍ୱାଇଁ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ଅଂଶଗ୍ରହଣକାରୀ, ସ୍ଥାନୀୟ ବଜାର କମିଟିର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜଳଯୋଗ ପରେ ଏହି ସାରସ୍ୱତ ସମାରୋହ ଉଦ୍‌ଯାପିତ ହୋଇଥିଲା।

Leave a Reply

Your email address will not be published. Required fields are marked *