ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବଜାରସ୍ଥିତ ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଏକ ବିଦେଶୀ ମଦ ଦୋକାନରୁ ସମଗ୍ର ଲୁଣା-ଚିତ୍ରୋତ୍ପଳା ଉପତ୍ୟକା ଅଞ୍ଚଳକୁ ବ୍ୟାପକ ଭାବେ ନକଲି ତଥା ଅବଧି ସରିଯାଇଥିବା (ଏକ୍ସପାଏରୀ) ମଦ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମଦ ବେପାରୀମାନେ ନେମାଳ, ସାନତପୁର, କଳମୀଶ୍ରୀ, ପାଳଦା ଆଦି ବିଭିନ୍ନ ଅଞ୍ଚଳରେ ନିୟମିତ ଭାବେ ଏହି ନକଲି ଓ ମିଆଦ ପୁରିଯାଇଥିବା ମଦ ଯୋଗାଣ କରୁଛନ୍ତି।
ଅତ୍ୟନ୍ତ ଚିନ୍ତାର ବିଷୟ ଯେ, ଥାନାର ନିକଟବର୍ତ୍ତୀ ଏହି ସ୍ଥାନରୁ ଏପରି ବେଆଇନ କାରବାର ଖୋଲାଖୋଲି ଚାଲିଥିଲେ ସୁଦ୍ଧା ସାଲେପୁର ଅବକାରୀ ବିଭାଗ ସବୁ ଜାଣିଶୁଣି ଆଖିବୁଜି ବସିଛି। ବିଭାଗୀୟ ଅଧିକାରୀଙ୍କ ରହସ୍ୟଜନକ ନିରବତା ଏବଂ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏଭଳି ନକଲି ଓ ମିଆଦ ପୁରିଯାଇଥିବା ବିଷାକ୍ତ ମଦ ସେବନ ଯୋଗୁଁ ଯେକୌଣସି ମୁହୂର୍ତ୍ତରେ ଅଞ୍ଚଳରେ ଏକ ବଡ଼ ଧରଣର ‘ମଦ ମୃତ୍ୟୁ’ ଭଳି ଦୁଃଖଦ ଅଘଟଣ ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଏ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଅବକାରୀ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏବଂ କଟକ ଜିଲ୍ଲାପାଳଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ଯଦି ପ୍ରଶାସନ ଶୀଘ୍ର ଏହି ବେଆଇନ କାରବାର ଉପରେ ଚଢ଼ାଉ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ, ତେବେ ଆଗାମୀ ଦିନରେ ଜନଆନ୍ଦୋଳନ ଗଢ଼ିଉଠିବ ବୋଲି ଚେତାବନୀ ଦିଆଯାଇଛି।
