ସାଇବର ଠକେଇରେ ସମ୍ପୃକ୍ତ ଆବୁ ସୋଫିଆନ ଓ ତାଙ୍କ ସାନ ଭାଇ ଆବୁ କଲାମ ଗିରଫ, ଅନ୍ୟ ଜଣେ ଫେରାର !

ରାଜ୍ୟ
Spread the love

ଝଙ୍କଡ଼, ୨୨/୧୦/୨୦୨୬: ଜନଶିକ୍ଷା କେନ୍ଦ୍ର ଖୋଲିବା ବାହାନାରେ ଗତ ୨୦୨୦ ମସିହାରୁ ବ୍ୟାଙ୍କ ଖାତାଧାରୀଙ୍କ କେୱାଇସି (KYC) କରିଦେବା ନାମରେ ବାରମ୍ବାର ଫିଙ୍ଗର ପ୍ରିଣ୍ଟ ନେଇ ସେମାନଙ୍କ ଖାତାରୁ ଟଙ୍କା ଉଠାଇ ନିଆଯାଉଥିଲା। ଏହିପରି ଭାବେ ସମୁଦାୟ ଉଠାଯାଇଥିବା ଅର୍ଥର ପରିମାଣ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜାଣିବାକୁ ମିଳିଛି।

ଏ ସମ୍ପର୍କରେ କୃଷ୍ଣାନନ୍ଦପୁର ଥାନାରେ ପ୍ରାୟ ୯ ଜଣ ବ୍ୟାଙ୍କ ଖାତାଧାରୀ ଏତଲା ଦେଇଥିଲେ। କିନ୍ତୁ ଥାନାରୁ କୌଣସି ସନ୍ତୋଷଜନକ ନ୍ୟାୟ ନ ମିଳିବାରୁ ମାମଲାଟି ଶେଷରେ ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମାଙ୍କ ଦପ୍ତରରେ ପହଞ୍ଚିଥିଲା। ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜଗତସିଂହପୁର ସାଇବର ପୋଲିସ, କୃଷ୍ଣାନନ୍ଦପୁର ପୋଲିସ ଏବଂ ଏସଡିପିଓ ଅଭୟ କୁମାର ଦାସଙ୍କ ନେତୃତ୍ୱରେ ତିର୍ତ୍ତୋଲ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହି ମିଳିତ କାର୍ଯ୍ୟାନୁଷ୍ଠାନ ବଳରେ ମୁଖ୍ୟ ଅଭିଯୁକ୍ତ ଆବୁ ସୋଫିଆନଙ୍କୁ କଟକରୁ ଏବଂ ତାଙ୍କ ଭାଇ ଆବୁ କଲାମଙ୍କୁ ନିଜ ଘରୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଅନ୍ୟତମ ଅଭିଯୁକ୍ତ ଶେଖ୍ ଅନୁଅର ଅଲ୍ଲୀ ବର୍ତ୍ତମାନ ସୁଦ୍ଧା ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।

ଏହି ପରିପ୍ରେକ୍ଷୀରେ କୃଷ୍ଣାନନ୍ଦପୁର ଥାନା ସଭାଗୃହରେ ଏସଡିପିଓଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ (ପ୍ରେସମିଟ୍) ଆୟୋଜନ କରାଯାଇ ଅଭିଯୁକ୍ତମାନଙ୍କ ଏହି କଳା କାରନାମାର ପର୍ଦ୍ଦାଫାଶ କରାଯିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଅପରାଧିକ ନେଟୱର୍କରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଜାଣିବା ପାଇଁ ପୋଲିସ ତରଫରୁ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ଏହି ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନେ ନିଶ୍ଚୟ ସେମାନଙ୍କ ହଜାଇଥିବା ଅର୍ଥ ଫେରି ପାଇବେ ବୋଲି ଏସଡିପିଓ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପ୍ରକୃତରେ ଏହି ଆର୍ଥିକ ଠକେଇର ଶିକାର ହୋଇଥିବା ଅସହାୟ ଖାତାଧାରୀମାନେ କେବେ ସେମାନଙ୍କ କଷ୍ଟୋପାର୍ଜିତ ଅର୍ଥ ଫେରି ପାଉଛନ୍ତି, ତାହା ହିଁ ଏବେ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *