ମାହାଙ୍ଗା, ୨୨/୧୦ (ଆପ୍ର): କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଳିଅଠା ପଞ୍ଚାୟତସ୍ଥିତ ହରିହର ପୀଠ ପରିସରରେ ଓଁ ଶ୍ରୀ ଶ୍ରୀ ବାବା କପିଳେଶ୍ୱର ସଂକୀର୍ତ୍ତନ ମଣ୍ଡଳୀର ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଆଧ୍ୟାତ୍ମିକ ଉତ୍ସବକୁ ବରିଷ୍ଠ ସାମ୍ବାଦିକ ତଥା କବି ଭକ୍ତ ଚରଣ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ଅକ୍ଷୟ କୁମାର ବଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୀତିକାର ମାନସ ସାସମଲ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତି, ବିଶିଷ୍ଟ ଅତିଥି ଭାବେ ସଙ୍ଗୀତ ନିର୍ଦ୍ଦେଶକ ଲଳିତ କୁମାର, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ, ସାମ୍ବାଦିକ ରମେଶ ସାହୁ, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଦୁର୍ଯ୍ୟୋଧନ ପଣ୍ଡା, ସାମ୍ବାଦିକ ଅଶୋକ ଦାଶ ଏବଂ ସାମ୍ବାଦିକ ସୁବ୍ରତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଯୁଗରେ ସଂକୀର୍ତ୍ତନ କଳା ଲୋପ ପାଇବାକୁ ବସିଥିବା ବେଳେ ମାହାଙ୍ଗା ଓ ବଡ଼ଚଣା ବ୍ଲକ ଅଞ୍ଚଳରୁ ଦୁଇ ଶହରୁ ଊର୍ଦ୍ଧ୍ୱ ସଂକୀର୍ତ୍ତନ ଗାୟକଙ୍କୁ ଏହି ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ସଂକୀର୍ତ୍ତନ ପରମ୍ପରା ପ୍ରତି ଯୁବପିଢ଼ି ଆକର୍ଷିତ ହେବା ଉଚିତ ବୋଲି ଅତିଥିମାନେ ଆହ୍ୱାନ ଦେଇଥିଲେ। ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ କଳାକାର, ସାହିତ୍ୟିକ, ସମାଜସେବୀ ଓ ସାମ୍ବାଦିକମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ତଥା ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ମାହାଙ୍ଗା ଓ ବଡ଼ଚଣା ଅଞ୍ଚଳର ଦୁଇ ଶହରୁ ଊର୍ଦ୍ଧ୍ୱ ସଂକୀର୍ତ୍ତନ ମଣ୍ଡଳୀର କର୍ମକର୍ତ୍ତାମାନଙ୍କୁ ମଧ୍ୟ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ରମାକାନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜନ୍ମେଜୟ ଓଝା ସ୍ୱାଗତ ଭାଷଣ ଏବଂ ସତ୍ୟ ଶିବ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ କଣ୍ଠଶିଳ୍ପୀ ସୁଧାକର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ରବୀନ୍ଦ୍ର ସାମଲ, ଅଜୟ ସାହୁ, ହୃଷିକେଶ ପ୍ରଧାନ, ସାଉଁଟି ସାମଲ, ଗୁରୁଚରଣ ପୃଷ୍ଟି, ଦେବରାଜ ସ୍ୱାଇଁ, ନିହାର ରଞ୍ଜନ ସ୍ୱାଇଁ, ରତିକାନ୍ତ ପଣ୍ଡା, ପ୍ରଦୀପ୍ତ ସାହୁ, କପିଳେନ୍ଦ୍ର ରଣା, ଅଜିତ ସାମଲ ଏବଂ ଜ୍ୟୋତିର୍ମୟୀ ସ୍ୱାଇଁ ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ।
