‘ମୋଦୀଙ୍କ ବାପ ବି ଯିବ’, ପ୍ରଧାନମନ୍ତ୍ରୀଙ୍କୁ ନେଇ ଖଡ଼ଗେଙ୍କ ବିବାଦୀୟ ବୟାନ

ଦେଶବିଦେଶ
Spread the love

ପାଟନା: ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସେ ବାପୁ ସଭାଗାରରେ କହିଛନ୍ତି ଯେ, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର ଏବଂ ହରିୟାଣାର ସରକାର ହେଉଛି ଚୋରି ସରକାର। ଏହା ଭୋଟ୍ ଚୋରିର ସରକାର। ତାଙ୍କର ଏହି ବୟାନକୁ ନେଇ ବିବାଦ ଉପୁଜିଛି। ଏହି ସମୟରେ ସଭାସ୍ଥଳରୁ ଜଣେ ବ୍ୟକ୍ତି କହିଛନ୍ତି ଯେ, “ମୋଦୀ କେବେ ଯିବେ ନାହିଁ।” ଏହା ଉପରେ ଖଡ଼ଗେ ଗର୍ଜନ କରି ଜବାବ ଦେଇ କହିଛନ୍ତି, “ମୋଦୀଙ୍କ ବାପା ବି ଯିବେ।” ତାଙ୍କର ଏହି ବୟାନ ପରେ ସଭାସ୍ଥଳରେ ତୀବ୍ର କୋଳାହଳପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଦରଦାମ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି। ପିଆଜ ମହଙ୍ଗା ହୋଇ ରହିଛି। ଗରିବ ଲୋକଟିଏ ରୁଟି ଓ ଡାଲି ଖାଏ। ଡାଲି ନ ହେଲେ ସେ ପିଆଜ ଓ ରୁଟି ଖାଇଥାଏ। ଏବେ ତ ପିଆଜ ମଧ୍ୟ ମହଙ୍ଗା ହୋଇଯାଇଛି, ତେଣୁ ସାଧାରଣ ଲୋକଟି କ’ଣ ଖାଇବ? ଏହି ମୋଦୀ ସରକାର ସାଧାରଣ ଲୋକଙ୍କ ଜୀବନକୁ ମୁସ୍କିଲ କରି ଦେଇଛନ୍ତି। ସଂସଦର ଅଧିବେଶନ ଚାଲିଲେ, ମୋଦୀ ଏବଂ ଶାହ ଡରିକରି ଭିତରକୁ ଆସୁ ନାହାନ୍ତି। ଏହି ଲୋକମାନେ କେବଳ ରାହୁଲ, ରାହୁଲ, ରାହୁଲ ଜପୁଛନ୍ତି। ଏଥିରୁ ଲାଗୁଛି ଯେପରି ଏମାନଙ୍କ ସ୍ୱପ୍ନରେ ବି ରାହୁଲ ଗାନ୍ଧୀ ଆସୁଛନ୍ତି।

ଖଡ଼ଗେ କହିଛନ୍ତି ଯେ, ଦେଶରେ ଯେତେ ଜ୍ୟୋତିର୍ଲିଙ୍ଗ ରହିଛି, ସେଥିରୁ ଗୋଟିଏ ଲିଙ୍ଗର ପବିତ୍ର ଭୂମିରୁ ହିଁ ମୁଁ ଆସିଛି। ଏହା ସହିତ ସେ କହିଛନ୍ତି, “ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣ ସିଂହ ଜୀଙ୍କୁ ତାଙ୍କର ୧୩୯ତମ ଜୟନ୍ତୀରେ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।” ବିହାରରେ ଜମିଦାରୀ ପ୍ରଥାକୁ ଶ୍ରୀକୃଷ୍ଣ ସିଂହ ହିଁ ସମାପ୍ତ କରିଥିଲେ। ଭୂ-ସଂସ୍କାର ବା ଲ୍ୟାଣ୍ଡ ରିଫର୍ମ ପାଇଁ ବଡ଼ କାମ ଶ୍ରୀକୃଷ୍ଣ ସିଂହ କରିଥିଲେ। ସେ ନିଜେ ଭୂମିହାର ଜାତିରୁ ଆସିଥିଲେ। ତାଙ୍କ ନିଜ ଜାତିର ଲୋକମାନେ ହିଁ ମୁଖ୍ୟତଃ ଜମିଦାର ଥିଲେ। ତଥାପି ଏହା ସତ୍ତ୍ୱେ ସେ ସାହସର ସହ ଜମିଦାରୀ ପ୍ରଥାକୁ ହଟାଇଥିଲେ।

କଂଗ୍ରେସ ଅଧ୍ୟକ୍ଷ ପୁଣି କହିଛନ୍ତି ଯେ, ସେତେବେଳେ ବିହାରର ମୌଳିକ ସୁବିଧା, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବହୁତ କାମ କରାଯାଇଥିଲା। ଶ୍ରୀକୃଷ୍ଣ ସିଂହଙ୍କ କାର୍ଯ୍ୟକାଳ ମଧ୍ୟରେ ବିହାରରେ ଅନେକ କଳକାରଖାନା ଏବଂ ଶିଳ୍ପ ପ୍ରତିଷ୍ଠିତ ହୋଇଥିଲା। ସେହି ସମୟରେ ଯେତେବେଳେ RSS ଏବଂ ଅନ୍ୟାନ୍ୟ ଶକ୍ତି ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ, ଶ୍ରୀ ବାବୁ ସେମାନଙ୍କୁ ଅତ୍ୟନ୍ତ ଦୃଢ଼ ଭାବରେ ମୁକାବିଲା କରିଥିଲେ। କେବଳ ସେତିକି ନୁହେଁ, ଶ୍ରୀ ବାବୁ ଅସ୍ପୃଶ୍ୟତା ବିରୁଦ୍ଧରେ ମଧ୍ୟ ଏକ ବଡ଼ ଅଭିଯାନ ଆରମ୍ଭ କରିଥିଲେ। ସେହି ସମୟରେ ଦଳିତମାନଙ୍କୁ ପ୍ରସିଦ୍ଧ ବାବା ବୈଦ୍ୟନାଥ ଧାମ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା, କିନ୍ତୁ ଶ୍ରୀ ବାବୁ ସେମାନଙ୍କର ସେହି ପ୍ରବେଶ ଅଧିକାରକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିଥିଲେ।

ଏହା ପରେ ଖଡ଼ଗେ କହିଛନ୍ତି ଯେ, ଏଭଳି ଅସ୍ପୃଶ୍ୟତା ମାନସିକତା ଥିବା ଲୋକମାନେ ଏବେ ବି RSS ଏବଂ BJPରେ ଭର୍ତ୍ତି ହୋଇ ରହିଛନ୍ତି। ତେଣୁ ଯେପର୍ଯ୍ୟନ୍ତ ଏହି RSS ଏବଂ ତାଙ୍କର ଚିନ୍ତାଧାରା ଦୂର ନ ହୁଏ, ସେପର୍ଯ୍ୟନ୍ତ ସମଗ୍ର ଦେଶରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ସେ ସ୍ପଷ୍ଟ ଭାବରେ କହିଛନ୍ତି।

Leave a Reply

Your email address will not be published. Required fields are marked *