ଚାରି ମାସ ହେଲା ମିଳିନି ଭତ୍ତା, ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ଦୁଇ ବୃଦ୍ଧା

ରାଜ୍ୟ
Spread the love

ଆନନ୍ଦପୁର: ସରକାରୀ ଭତ୍ତା ହିଁ ଥିଲା ବଞ୍ଚିବାର ଏକମାତ୍ର ଆଶା ଓ ସାହାରା। ହେଲେ ଗତ ଚାରି ମାସ ହେଲା ମିଳୁନି ସେହି ଭତ୍ତା ଟଙ୍କା। ଫଳରେ ଅତ୍ୟନ୍ତ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଦୁଇ ନିରାଶ୍ରୟା ବୃଦ୍ଧା। ଶେଷରେ ନିଜର ଦୁଃଖ ଜଣାଇବା ସହ ସମାଧାନ ଆଶାରେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଉଭୟେ। ଭତ୍ତା ଟଙ୍କା ନ ମିଳିବାରୁ ଅତି ଦୟନୀୟ ସ୍ଥିତିରେ କାଳାତିପାତ କରୁଥିବା ଏହି ଦୁଇ ବୃଦ୍ଧାଙ୍କ ଆଖିରେ ଏବେ କେବଳ ଲୁହ ଛଳଛଳ। ସରକାରୀ ସହାୟତା ପୁଣି କେବେ ମିଳିବ, ତାକୁ ନେଇ ଏବେ ଗଭୀର ଚିନ୍ତାରେ ପଡ଼ିଛନ୍ତି ଉଭୟେ।

ବୟସର ଅପରାହ୍ନରେ ଅବର୍ଣ୍ଣନୀୟ ଦୁଃଖ-ଦୁର୍ଦ୍ଦଶା ମଧ୍ୟରେ ବିତୁଛି ସେମାନଙ୍କ ଜୀବନ। ବାର୍ଦ୍ଧକ୍ୟ ଅବସ୍ଥାରେ ଏହି ସରକାରୀ ଭତ୍ତା ହିଁ ସେମାନଙ୍କ ପାଇଁ ଏକମାତ୍ର ସମ୍ବଳ ଥିଲା। କିନ୍ତୁ ଦୀର୍ଘ ଚାରି ମାସ ଧରି ଭତ୍ତା ଟଙ୍କା ନ ମିଳିବା କାରଣରୁ ଦୁଇ ବୃଦ୍ଧାଙ୍କ ଜୀବନ ଅତି ଦୟନୀୟ ତଥା ଦୁର୍ବିସହ ହୋଇପଡ଼ିଛି। ଏଭଳି ସ୍ଥିତିରେ ନିଜର ବେଦନା ଜଣାଇବା ସହ ବକେୟା ଭତ୍ତା ଟଙ୍କା ଫେରିପାଇବା ଆଶା ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗୁହାରି କରିଛନ୍ତି ଏହି ଦୁଇ ବୃଦ୍ଧା।

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହାଟଡିହି ବ୍ଲକ ଅଧୀନ ଧରମପୁର ଗ୍ରାମର ଦୁଃଖୀ ଜେନା। ସେ ଜଣେ ବିଧବା ଏବଂ ପୂର୍ବରୁ ସରକାରଙ୍କ ପକ୍ଷରୁ ନିୟମିତ ବିଧବା ଭତ୍ତା ପାଉଥିଲେ। ହେଲେ ଗତ ଚାରି ମାସ ହେଲା ତାଙ୍କୁ କୌଣସି ଭତ୍ତା ମିଳୁ ନ ଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ଅନ୍ୟ ଜଣେ ହେଲେ ସେହି ହାଟଡିହି ବ୍ଲକ୍ ଅନ୍ତର୍ଗତ ଧାନଘର ଗ୍ରାମର ମାଧୁରୀ ଜେନା, ଯାହାଙ୍କର ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଏଭଳି ସ୍ଥିତିରେ ଏହି ଦୁଇ ବୃଦ୍ଧାଙ୍କୁ କେବେ ସରକାରୀ ସହାୟତା ମିଳିବ ଏବଂ କେବେ ସେମାନଙ୍କର ଏହି ଚରମ ଦୁଃଖ ଦୂର ହେବ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ତଥା ଉପଜିଲ୍ଲାପାଳଙ୍କ ପଦକ୍ଷେପକୁ ଉଭୟେ ଚାହିଁ ରହିଛନ୍ତି।

Leave a Reply

Your email address will not be published. Required fields are marked *