ଇସ୍ରାଏଲ ନିର୍ବାଚନ : ଅଧିକ ସିଟ୍ ପାଇବେ ନେତନ୍ୟାହୁ, କିନ୍ତୁ ମ୍ୟାଜିକ୍ ନମ୍ବର ଛୁଇଁବେନି ! ଆସିଲା ଏକଜିଟ୍ ପୋଲ୍

ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୨୮/୧୦: ଇସ୍ରାଏଲରେ ନିର୍ବାଚନ ଶେଷ ହୋଇଛି। କିଏ ନୂଆ ପ୍ରଧାନମନ୍ତ୍ରୀ ହେବେ, ସେନେଇ ରାଜନୈତିକ କସରତ ଆରମ୍ଭ ହୋଇଯାଇଛି। କେହି କେହି କହୁଛନ୍ତି ଯେ ବେଞ୍ଜାମିନ ନେତନ୍ୟାହୁ ପୁଣି ଥରେ ସରକାର ଗଠନ କରିବେ, ତ ଆଉ କେହି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ସେନାମୁଖ୍ୟ ଗାଦି ଏସେନକଟ୍ କ୍ଷମତାକୁ ଆସିବେ ବୋଲି ମତ ଦେଉଛନ୍ତି। ଏସବୁ ମଧ୍ୟରେ ଏକଜିଟ୍ ପୋଲ୍ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି।

ଏହି ସର୍ଭେରୁ ଜଣାପଡ଼ିଛି ଯେ, ଉଭୟ ନେତାଙ୍କ ମଧ୍ୟରେ କଡ଼ା ଟକ୍କର ବା ମୁକାବିଲା ହେଉଛି। ନେତନ୍ୟାହୁଙ୍କ ଦଳ ନିର୍ବାଚନରେ ସର୍ବାଧିକ ଆସନ ପାଇବ ସତ, କିନ୍ତୁ ସରକାର ଗଢ଼ିବା ପାଇଁ ଆବଶ୍ୟକ ମ୍ୟାଜିକ୍ ନମ୍ବର ଛୁଇଁ ପାରିବ ନାହିଁ। ଏକକ ସଂଖ୍ୟାଗରିଷ୍ଠତା ହାସଲ କଲେ ମଧ୍ୟ ତାଙ୍କ ଦଳ ସ୍ପଷ୍ଟ ବହୁମତ ହାସଲ କରିପାରିବ ନାହିଁ ବୋଲି ଆକଳନ କରାଯାଇଛି।

ଏଥିସହିତ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ନେତନ୍ୟାହୁଙ୍କ ଲିକୁଡ୍ ପାର୍ଟି ପ୍ରଥମ ଏକ ଲକ୍ଷ ବାଲାଟରୁ ୨୭ ପ୍ରତିଶତ ଭୋଟ୍ ପାଇବ ଏବଂ ଏସେନକଟଙ୍କ ଦଳ ୧୭ ପ୍ରତିଶତ ଭୋଟ୍ ପାଇବା ନେଇ ଅନୁମାନ କରାଯାଉଛି। ଏନେଇ ଇସ୍ରାଏଲର ସେଣ୍ଟ୍ରାଲ୍ ଇଲେକ୍ସନ୍ କମିଟି ମଧ୍ୟ ଆବଶ୍ୟକ ତଥ୍ୟ ପ୍ରଦାନ କରିଛି। ସେହିପରି ‘କାନ୍ ୧୧’ ଏବଂ ‘ଚ୍ୟାନେଲ୍ ୧୩’ର ଏକଜିଟ୍ ପୋଲ୍ ଅନୁସାରେ ଉଭୟ ଦଳ ୫୧ଟି ଲେଖାଏଁ ଆସନ ପାଇବେ। ଅନ୍ୟପକ୍ଷରେ ଆରବ ପାର୍ଟିଗୁଡ଼ିକୁ ୧୮ଟି ସିଟ୍ ମିଳିବାର ସମ୍ଭାବନା ରହିଛି। ଫଳରେ ସେଠାରେ ଏକ ଝୁଲା ସରକାର ଗଠନ ହୋଇପାରେ, ଅର୍ଥାତ୍ କୌଣସି ଗୋଷ୍ଠୀକୁ ପୂର୍ଣ୍ଣ ବହୁମତ ମିଳିବ ନାହିଁ।

ନିର୍ବାଚନ ସମୟରେ ନେତନ୍ୟାହୁଙ୍କ ପ୍ରତି ଭୋଟରମାନେ କିଛି ମାତ୍ରାରେ ବିମୁଖ ଥିବା ଦେଖିବାକୁ ମିଳିଥିଲା। ଦୀର୍ଘଦିନ ଧରି ଲାଗି ରହିଥିବା ଯୁଦ୍ଧ ନେତନ୍ୟାହୁଙ୍କ ଲୋକପ୍ରିୟତା ତଥା ଛବିକୁ ମଳିନ କରିଛି। ଦେଶର ଏକ ବଡ଼ ବର୍ଗ ତାଙ୍କ କାର୍ଯ୍ୟକଳାପକୁ ପସନ୍ଦ କରୁ ନ ଥିବାରୁ ସେ ଶୋଚନୀୟ ଭାବେ ପରାସ୍ତ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା। ତଥାପି ତାଙ୍କ ଦଳ ଏକକ ଭାବେ ପ୍ରାୟ ୨୭ଟି ଆସନ ପାଇପାରେ ଏବଂ ତାଙ୍କ ନେତୃତ୍ୱାଧୀନ ମେଣ୍ଟକୁ ପ୍ରାୟ ୫୧ଟି ଆସନ ମିଳିପାରେ ବୋଲି ସର୍ଭେରୁ ଜଣାପଡ଼ିଛି।

ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ। ଯଦି ପ୍ରକୃତରେ ଉଭୟ ମେଣ୍ଟ ସମାନ ସଂଖ୍ୟକ ଆସନ ଜିତନ୍ତି, ତେବେ ସରକାର ଗଠନ ପ୍ରକ୍ରିୟା ବେଶ୍ ଜଟିଳ ହୋଇପଡ଼ିବ ଏବଂ ଏଥିପାଇଁ ମାସ ମାସ ସମୟ ମଧ୍ୟ ଲାଗିପାରେ। ଏପରି ସ୍ଥିତିରେ ରାଜନୈତିକ ଅଚଳାବସ୍ଥା ଦୂର କରିବା ନିମନ୍ତେ ପୁଣି ଥରେ ନିର୍ବାଚନ ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ।

Leave a Reply

Your email address will not be published. Required fields are marked *