କ୍ୟାନସର ଚିକିତ୍ସା ହେଲା ଶସ୍ତା: ୫୪୩ ଔଷଧର ଦାମ କମାଇଲେ ସରକାର

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ଦେଶରେ କ୍ୟାନସର ଚିକିତ୍ସା ଖର୍ଚ୍ଚକୁ କମାଇବା ପାଇଁ ଔଷଧର ଦର ହ୍ରାସ କରିଛି ଭାରତୀୟ ଔଷଧ ମୂଲ୍ୟ ନିୟନ୍ତ୍ରକ ସଂସ୍ଥା ‘ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି’ (NPPA)। କ୍ୟାନସର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ୫୪୩ ଟି ଔଷଧର ବିଭିନ୍ନ ବ୍ରାଣ୍ଡ ଓ ପ୍ୟାକ୍ରେ ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ସଂଶୋଧନ କରି ଏକ ନୂତନ ଦର ତାଲିକା ଜାରି କରାଯାଇଛି। ଏଥିରେ କେତେକ ଔଷଧର ଦାମ ସର୍ବାଧିକ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ଏହି ନୂତନ ଦର ଆସନ୍ତା ନଭେମ୍ବର ୯ ତାରିଖ ଠାରୁ ଦେଶବ୍ୟାପୀ ଲାଗୁ ହେବ। ତେବେ ଅନେକ ଅତ୍ୟନ୍ତ ଦାମୀ କ୍ୟାନସର ଔଷଧର ମୂଲ୍ୟ ଟଙ୍କାଟିଏ ବି କମି ନ ଥିବାରୁ ଏହି ସଂଶୋଧିତ ଔଷଧ ଦରକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୩୦ ପ୍ରତିଶତ ଟ୍ରେଡ୍ ମାର୍ଜିନ କ୍ୟାପିଂ ଲାଗୁ ହେବା ପରେ ଏକାଧିକ ଜେନେରିକ ଔଷଧର ଦର ଯଥେଷ୍ଟ କମିଯାଇଛି। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ସତ୍ତ୍ୱେ କେଟ୍ରୁଡା ଓ ଇମଜୁଡୋ ଭଳି ବହୁ ମହଙ୍ଗା ପେଟେଣ୍ଟପ୍ରାପ୍ତ ଔଷଧଗୁଡ଼ିକର ଦାମରେ କୌଣସି ହ୍ରାସ ଘଟି ନାହିଁ।

NPPAର ନୂଆ ତାଲିକାକୁ ନେଇ ଉଠିଲା ପ୍ରଶ୍ନ:

ନୂତନ ନିଷ୍ପତ୍ତି ପରେ କ୍ୟାନସର ଔଷଧଗୁଡ଼ିକ ଉପରେ ୩୦ ପ୍ରତିଶତ ମାର୍ଜିନ କ୍ୟାପ୍ ଲାଗୁ ହୋଇଛି ସତ, ହେଲେ ବିଦେଶୀ ତଥା ମହଙ୍ଗା ପେଟେଣ୍ଟ ଔଷଧର ଦାମରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏହି କାରଣରୁ ଏନପିପିଏ ପକ୍ଷରୁ ଜାରି ହୋଇଥିବା ୫୪୩ ବ୍ରାଣ୍ଡର ନୂତନ ତାଲିକାର ପ୍ରକୃତ ଉପାଦେୟତା ଉପରେ ପ୍ରଶ୍ନ ଛିଡ଼ା ହୋଇଛି।

ଏହି ପେଟେଣ୍ଟ ଔଷଧର ଦାମ ବଦଳି ନାହିଁ:

୧. Keytruda 100 mg ଇଞ୍ଜେକ୍ସନ: ଏହାର ଦାମ ପୂର୍ବଭଳି ₹୨,୧୬,୫୦୦ ରହିଛି।

୨. Imjudo 300 mg: ଏହାର ଦାମ ₹୪,୧୭,୫୨୨ ରହିଛି।

୩. Opdyta 100 mg: ଏହାର ଦାମ ₹୧,୦୯,୦୫୦ ରହିଛି ଏବଂ ଏଥିରେ କୌଣସି ପ୍ରକାର କାଟ୍ କରାଯାଇ ନାହିଁ।

ଅନ୍ୟପଟେ କିଛି ଜେନେରିକ ଔଷଧର ଦରରେ ବ୍ୟାପକ ହ୍ରାସ:

  • Sunitinib: ₹୮୮୯ ରୁ ₹୨୮୫.୬୯ କୁ ହ୍ରାସ କରାଯାଇଛି।

  • Olaparib: ₹୧୫,୩୯୮ ରୁ ₹୨,୬୯୫ କୁ ହ୍ରାସ କରାଯାଇଛି।

  • Palbociclib 100 mg: ₹୨୪,୫୦୫ ରୁ ₹୨,୦୬୮ କୁ ହ୍ରାସ କରାଯାଇଛି।

ଅର୍ଥାତ୍ ଗୋଟିଏ ପଟେ ଜେନେରିକ ଔଷଧର ଦାମରେ ବଡ଼ ଧରଣର ହ୍ରାସ ଘଟି ସାଧାରଣ ରୋଗୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଥିବା ବେଳେ, ଅନ୍ୟପଟେ ଜୀବନରକ୍ଷାକାରୀ ମୁଖ୍ୟ ପେଟେଣ୍ଟ ଔଷଧଗୁଡ଼ିକ ଏବେ ମଧ୍ୟ ସାଧାରଣ ଲୋକଙ୍କ ପହଞ୍ଚ ବାହାରେ ରହିଛି। NPPA ଜାରି କରିଥିବା ସମ୍ପୂର୍ଣ୍ଣ ତାଲିକା ଅନୁସାରେ କେଉଁ ଔଷଧର ଦାମ କେତେ କମିଛି ତାହା ସ୍ପଷ୍ଟ ହୋଇଛି ଏବଂ ଆଗାମୀ ଦିନରେ ଏହି ମହଙ୍ଗା ପେଟେଣ୍ଟ ଔଷଧ ଉପରେ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *