ଭୁବନେଶ୍ୱର: ବଡ଼ ବାତ୍ୟାର ଆଶଙ୍କା, ଅତି ପ୍ରବଳ ବର୍ଷାର ପୂର୍ବାନୁମାନ। ହେଲେ ଓଡ଼ିଶାରେ ଆକଳନ ଅନୁସାରେ ଦେଖିବାକୁ ମିଳିଲାନି ‘ଅର୍ଣ୍ଣବ’ର ପ୍ରଭାବ। କେଉଁଠି ଗତି ମନ୍ଥର ହେଲା ତ କେଉଁଠି ଦୁର୍ବଳ ପଡ଼ିଗଲା ପାଣିପାଗ ପ୍ରଣାଳୀ। ପୂର୍ବାନୁମାନ ଓ ବାସ୍ତବ ବର୍ଷା ମଧ୍ୟରେ କାହିଁକି ଦେଖାଦେଲା ଏତେ ବଡ଼ ପାର୍ଥକ୍ୟ? ଏହା ପଛରେ ରହିଛି କି ଦୁଇଟି ପାଣିପାଗ ପ୍ରଣାଳୀର ପାରସ୍ପରିକ ପ୍ରଭାବ? ଆସନ୍ତୁ ସେହି ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା।
ପ୍ରାରମ୍ଭରେ ‘ଅର୍ଣ୍ଣବ’ର ଯେଉଁ ଗତିପଥ ଏବଂ ପୂର୍ବାନୁମାନ ମଡେଲ ଫୋରକାଷ୍ଟ୍ (Model Forecast) କରାଯାଇଥିଲା, ସେତେବେଳେ ତାମିଲନାଡୁ ଉପକୂଳ ନିକଟରେ ସୃଷ୍ଟି ହୋଇଥିବା ଅନ୍ୟ ଏକ ସିଷ୍ଟମକୁ ସେତେଟା ଗୁରୁତ୍ୱ ଦିଆଯାଇ ନଥିଲା। ଆଶା କରାଯାଉଥିଲା ଯେ ସେହି ସିଷ୍ଟମଟି ଆରବ ସାଗର ଆଡ଼କୁ ଅଗ୍ରସର ହୋଇ କ୍ରମଶଃ ଦୁର୍ବଳ ହୋଇଯିବ। କିନ୍ତୁ ଯେତେବେଳେ ‘ଅର୍ଣ୍ଣବ’ ଆଣ୍ଡାମାନ ନିକଟରୁ ଗତି କରି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଏବଂ ତା’ର ଗତିପଥ ଦକ୍ଷିଣ-ପଶ୍ଚିମ ଦିଗକୁ ରହିଲା, ସେତେବେଳେ ସମଗ୍ର ପରିସ୍ଥିତି ବଦଳିଗଲା। ଏହାକୁ ଏକ ‘ବାଇନାରୀ ସିଷ୍ଟମ’ କୁହାଯାଇପାରେ, ଯେଉଁଠାରେ ଦୁଇଟି ପାଣିପାଗ ପ୍ରଣାଳୀ ପରସ୍ପରର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇଥିଲେ।
ସାଧାରଣତଃ ଏକ ଶକ୍ତିଶାଳୀ ସିଷ୍ଟମ ଅନ୍ୟ ଏକ ଦୁର୍ବଳ ସିଷ୍ଟମକୁ ନିଜ ଆଡ଼କୁ ଟାଣି ମିଶ୍ରଣ (Merge) କରିଦେଇଥାଏ, କିନ୍ତୁ ଏଥର ସେଭଳି କୌଣସି ମିଶ୍ରଣ ହେଲା ନାହିଁ। ତଥାପି, ଦୁଇଟି ସିଷ୍ଟମର କକ୍ଷପଥ (Orbit) ମଧ୍ୟରେ ପାର୍ଥକ୍ୟ ଏବଂ ସେମାନଙ୍କର ପାର୍ଶ୍ୱବର୍ତ୍ତୀ ପବନ (Peripheral Wind) ପ୍ରବାହର ଶୈଳୀ ବିପରୀତମୁଖୀ ରହିବା କାରଣରୁ ‘ଅର୍ଣ୍ଣବ’ର ଗତି ଅତ୍ୟନ୍ତ ମନ୍ଥର ହୋଇଯାଇଥିଲା।
ଓଡ଼ିଶାରେ ‘ଅର୍ଣ୍ଣବ’ର ପ୍ରଭାବ କାହିଁକି କମ୍ ରହିଲା, ତାହାର ମୁଖ୍ୟ କାରଣଗୁଡ଼ିକ ମଧ୍ୟରେ ବାଇନାରୀ ସିଷ୍ଟମର ପ୍ରଭାବ ଏବଂ ଏହାର ସ୍ଥିର ଅବସ୍ଥା ଅନ୍ୟତମ। ତାମିଲନାଡୁ ନିକଟରେ ଥିବା ସିଷ୍ଟମଟି ଦ୍ରୁତଗତିରେ ଉତ୍ତର ଦିଗକୁ ଅତିକ୍ରମ କରିଗଲା। ପଛରେ ଥିବା ‘ଅର୍ଣ୍ଣବ’କୁ ଏହା ଟାଣି ରଖିବା ଯୋଗୁଁ ‘ଅର୍ଣ୍ଣବ’ର ଆଗକୁ ବଢ଼ିବା ପ୍ରକ୍ରିୟା ବାଧାପ୍ରାପ୍ତ ହେଲା ଏବଂ ଏହା ସ୍ଥଳଭାଗ ନିକଟରେ ପ୍ରାୟତଃ ସ୍ଥିର ହୋଇ ରହିଗଲା।
ଶକ୍ତି ହ୍ରାସ ଏବଂ ଶୁଷ୍କ ପବନର ପ୍ରଭାବ ଯୋଗୁଁ ସମୁଦ୍ର କୂଳରେ ବା ସ୍ଥଳଭାଗ ନିକଟରେ ବହୁ ସମୟ ଧରି ସ୍ଥିର ରହିବା କାରଣରୁ ‘ଅର୍ଣ୍ଣବ’ର ସାମଗ୍ରିକ ଶକ୍ତି କ୍ଷୟ ହୋଇଗଲା। ସମୁଦ୍ରର ତଳ ପାଣି ଉପରକୁ ଆସିବା ଏବଂ ସ୍ଥଳଭାଗର ଥଣ୍ଡା ତଥା ଶୁଷ୍କ ପବନ ସଂସ୍ପର୍ଶରେ ଆସିବା ଯୋଗୁଁ ଏହା ଦ୍ରୁତଗତିରେ ଦୁର୍ବଳ ହୋଇପଡ଼ିଲା। ଏହା ସହିତ ପୂର୍ବଘାଟ ପର୍ବତମାଳା ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବରେ ଅତିକ୍ରମ କରିବାରେ ଏକ ବଡ଼ ପ୍ରତିବନ୍ଧକ ସାଜିଥିଲା।
ପୂର୍ବାନୁମାନ ଏବଂ ପ୍ରକୃତ ବର୍ଷା ମଧ୍ୟରେ ପାର୍ଥକ୍ୟ ସମ୍ପର୍କରେ ବିଚାର କଲେ, ପୂର୍ବରୁ ଆକଳନ କରାଯାଇଥିଲା ଯେ ‘ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁବା ପରେ ମଧ୍ୟ ୧୨ରୁ ୧୮ ଘଣ୍ଟା ପର୍ଯ୍ୟନ୍ତ ନିଜର ତୀବ୍ରତା ବଜାୟ ରଖିବ ଏବଂ କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଆଦି ଜିଲ୍ଲାରେ ଅତି ପ୍ରବଳ ବର୍ଷା କରାଇବ। କିନ୍ତୁ ସିଷ୍ଟମଟି ଆଶାତୀତ ଭାବେ ଦୁର୍ବଳ ହୋଇଯିବା କାରଣରୁ ଗଞ୍ଜାମ, ଗଜପତି, ରାୟଗଡ଼ା, ଦକ୍ଷିଣ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ବର୍ଷାର ପରିମାଣ ସୀମିତ ରହିଲା।
ଆଜିର ପାଣିପାଗ ଓ ବର୍ଷାର ପରିସ୍ଥିତିକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ ବର୍ତ୍ତମାନ ଏହି ସିଷ୍ଟମଟି ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ ଆଡ଼କୁ ଗତି କରିସାରିଛି। ଏହାର ପ୍ରଭାବରେ ଆଜି ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବାର ସମ୍ଭାବନା ରହିଛି। ପବନର ବେଗ ପଶ୍ଚିମ ଓଡ଼ିଶାରେ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ଏବଂ ଉପକୂଳ ଓଡ଼ିଶାରେ ୩୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ସତର୍କ ରହିବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଏବଂ ନୂଆପଡ଼ା ଅନ୍ତର୍ଭୁକ୍ତ। ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ତଥା ସାଧାରଣ ଜନତା ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ସ୍ଥିତି ଉପରେ ପାଣିପାଗ ବିଭାଗ ତୀକ୍ଷ୍ଣ ନଜର ରଖିଛି।
