ପ୍ରଥମ ପତ୍ନୀଙ୍କ କଥା ଲୁଚାଇ ଏକାଧିକ ବିବାହ, ଚତୁର୍ଥ ପତ୍ନୀଙ୍କ ଅଭିଯୋଗରେ ଗିରଫ

ରାଜ୍ୟ
Spread the love

ରାଜଧାନୀରୁ ରସିକିଆ ସ୍ୱାମୀ ଗିରଫ: ୪ଟି ବିବାହ କରି ନିର୍ଯାତନା ଦେଉଥିବା ଅଭିଯୋଗ, ମହିଳା ଥାନା ପୋଲିସ ହାତରେ ଧରାପଡ଼ିଲେ ୫୫ ବର୍ଷୀୟ ବ୍ୟକ୍ତି

ଭୁବନେଶ୍ୱର, ୨୮/୧୦: ରାଜଧାନୀରୁ ଜଣେ ରସିକିଆ ସ୍ୱାମୀଙ୍କୁ ଗିରଫ କରାଯାଇଛି। ଜଣଙ୍କୁ ନୁହେଁ ବରଂ ଚାରି ଚାରି ଜଣଙ୍କୁ ବିବାହ କରି ନିର୍ଯାତନା ଦେଇଥିବା ନେଇ ତାଙ୍କ ନାମରେ ସଙ୍ଗିନ ଅଭିଯୋଗ ହୋଇଛି। ଶେଷରେ ମହିଳା ଥାନା ପୋଲିସ ହାତରେ ୫୫ ବର୍ଷୀୟ ଅଭିଯୁକ୍ତ ଜଣକ ଧରାପଡ଼ିଛନ୍ତି।

ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ସେହି ତଥ୍ୟକୁ ସମ୍ପୂର୍ଣ୍ଣ ଗୋପନ ରଖି ଚାରି ଚାରି ଥର ବିବାହ କରିବା ସହ ସ୍ତ୍ରୀ ଓ ନାବାଳିକା ଝିଅଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଉକ୍ତ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ନିଜର ପ୍ରଥମ ବିବାହ ସମ୍ପର୍କରେ ସମସ୍ତ ତଥ୍ୟ ଲୁଚାଇ ପରବର୍ତ୍ତୀ ସମୟରେ ଅନ୍ୟ ମହିଳାମାନଙ୍କୁ ବିବାହ କରି ଚାଲିଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ମୃତ୍ୟୁ ଘଟିଥିବା ବେଳେ ତୃତୀୟ ପତ୍ନୀ ଅସହ୍ୟ ନିର୍ଯାତନା ସହି ନପାରି ଶେଷରେ ଘର ଛାଡ଼ି ଚାଲିଯାଇଥିଲେ।

ଅଭିଯୋଗକାରିଣୀ ଚତୁର୍ଥ ପତ୍ନୀଙ୍କ କହିବା ଅନୁଯାୟୀ, ବିବାହର ପ୍ରାୟ ଚାରି ବର୍ଷ ବିତିଯିବା ପରେ ଯାଇ ସେ ଅଭିଯୁକ୍ତଙ୍କ ଅନ୍ୟାନ୍ୟ ବିବାହ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଗତ ସେପ୍ଟେମ୍ବର ୩୦ ତାରିଖରେ ଅଭିଯୁକ୍ତ ଜୋରଜବରଦସ୍ତ ତାଙ୍କ ଘରେ ପଶି ଝିଅର ଜନ୍ମଦିନ ପାଳନ କରିବା ପାଇଁ ଜିଦ୍ ଧରିଥିଲେ। ମାତ୍ର ଏହାକୁ ବିରୋଧ କରିବାରୁ ସେ ଉତକ୍ଷିପ୍ତ ହୋଇ ପତ୍ନୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନାବାଳିକା ଝିଅକୁ ନିର୍ଦ୍ଦୟ ଭାବେ ମାଡ଼ ମାରି ଏକ କୋଠରୀ ଭିତରେ ବନ୍ଦ କରିଦେଇଥିଲେ। ଏହା ସହିତ ପତ୍ନୀଙ୍କ ଇଚ୍ଛା ବିରୋଧରେ ଅସଦାଚରଣ କରିବା ଏବଂ ପୋଲିସରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଥାନାରେ ଲିଖିତ ଏତଲା ଦିଆଯାଇଥିଲା।

ଏହି ସମ୍ବେଦନଶୀଳ ଘଟଣାରେ ମହିଳା ଥାନା ପୋଲିସ ଏକ ନିର୍ଦ୍ଦିଷ୍ଟ ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ତାଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲା। ଏହା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖଣ୍ଡଗିରି ଅଞ୍ଚଳରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ବର୍ତ୍ତମାନ ଏହି ଘଟଣାରେ ଅଧିକ ଖୋଳତାଡ଼ ଜାରି ରଖିଛି ଏବଂ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *