ସମାଜସେବିକା ଆର୍ଜୁ ବିବିଙ୍କୁ ‘ଭାରତ ସେବା ରତ୍ନ ସମ୍ମାନ–୨୦୨୬’ ପ୍ରଦାନ

ରାଜ୍ୟ
Spread the love

କଟକ, ୨୯/୧୦: ସାମାଜିକ ଅନୁଷ୍ଠାନ ‘ହାପି ମୋମେଣ୍ଟସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ’ ପକ୍ଷରୁ ୧୪ତମ ‘ଜୁହାର ଓଡ଼ିଶା ଦିବସ’ ପାଳନ ଅବସରରେ ‘ପ୍ରତିଭା ଉତ୍ସବ–୨୦୨୬’ ଏବଂ ‘ଭାରତ ସେବା ରତ୍ନ ସମ୍ମାନ–୨୦୨୬’ ସମାରୋହ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସମାଜସେବିକା ଆର୍ଜୁ ବିବିଙ୍କୁ ତାଙ୍କର ନିସ୍ୱାର୍ଥପର ଜନସେବା ତଥା ସମାଜ ପ୍ରତି ଅତୁଳନୀୟ ଅବଦାନ ନିମନ୍ତେ ଗୌରବମୟ ‘ଭାରତ ସେବା ରତ୍ନ ସମ୍ମାନ–୨୦୨୬’ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।

ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ସମାଜସେବୀ ତଥା କଳିଙ୍ଗ ପାଇକ ଆଖଡ଼ା ସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ ସଭାପତିତ୍ୱ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ଆର୍ଯ୍ୟ ସମାଜର ସଭାପତି ତଥା ସଂସ୍କୃତି ପୁରୁଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ପ୍ରଶାସକ ଡ. ଭାରତ ଭୂଷଣ ଜଗଦେବ ଏବଂ ପୁରୀର ବିଶିଷ୍ଟ ସମାଜସେବୀ ତଥା କବି ବଦ୍ରି ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ‘ଜୁହାର ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପଶ୍ଚିମ ଓ ପୂର୍ବ ଓଡ଼ିଶାର ସାଂସ୍କୃତିକ ଭାବନାକୁ ଯୋଡ଼ିବାର ଏହା ଏକ ଅତ୍ୟନ୍ତ ମହାନ ଓ ପ୍ରଶଂସନୀୟ ପ୍ରୟାସ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପଣ୍ଡା, ସାହିତ୍ୟିକ ଅଶୋକ ଶତପଥୀ, ରଶ୍ମି ରାୟ, ସଙ୍ଗୀତ ବିଶାରଦ ସଂଯୁକ୍ତା ଷଡ଼ଙ୍ଗୀ, ମୀନା ଦାଶ ଓ ବସୁମତୀ ଶତପଥୀ ପ୍ରମୁଖ ଯୋଗଦେଇ ନିଜ ନିଜର ସ୍ୱରଚିତ କବିତା ପାଠ କରି ଆସରଟିକୁ ବେଶ୍ ଆକର୍ଷଣୀୟ କରିଥିଲେ।

ଉତ୍ସବରେ ଉପସ୍ଥିତ ଅତିଥିମାନେ ଜୁହାର ଓଡ଼ିଶା ଦିବସର ମହତ୍ତ୍ୱ, ପଶ୍ଚିମ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା, ଲୋକକଳା ଓ ଐତିହ୍ୟର ସୁରକ୍ଷା ସହିତ ନୂତନ ପିଢ଼ି ମଧ୍ୟରେ ଏହାର ବ୍ୟାପକ ପ୍ରଚାରପ୍ରସାର ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ବିଭିନ୍ନ କ୍ଷେତ୍ରରେ ଲୁକ୍କାୟିତ ଥିବା ପ୍ରତିଭାମାନଙ୍କୁ ଖୋଜି ବାହାର କରି ସମାଜ ସମ୍ମୁଖକୁ ଆଣିବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ଦିଗରେ ‘ହାପି ମୋମେଣ୍ଟସ୍ ଇଣ୍ଡିଆ’ର ଏହି ନିରନ୍ତର ଉଦ୍ୟମକୁ ସମସ୍ତେ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମଟି ବେଶ୍ ସଫଳତା ଓ ଉତ୍ସାହର ସହିତ ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *