ରାହାମା ଜଗନ୍ନାଥ ମନ୍ଦିର ନିକଟରେ ଥିବା ବେଆଇନ ବାଣ ଦୋକାନକୁ ସିଜ୍ କଲା ତିର୍ତ୍ତୋଲ ପୋଲିସ

ରାଜ୍ୟ
Spread the love

ଝଙ୍କଡ଼, ତା. ୨୮/୧୦/୨୦୨୬: ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ତାଳପଡ଼ା ବଜାରସ୍ଥିତ ଜଗନ୍ନାଥ ମନ୍ଦିର ନିକଟ ଏକ ଫର୍ଣ୍ଣିଚର ଦୋକାନ ପାର୍ଶ୍ୱରେ ଥିବା ବାଣ ଦୋକାନରୁ ବେଆଇନ ଭାବେ ରଖାଯାଇଥିବା ୪୦ କାର୍ଟୁନ୍ ବିଭିନ୍ନ କିସମର ବାଣକୁ ଆଜି ମଧ୍ୟାହ୍ନ ୧୨ଟା ୫୬ ମିନିଟ ସମୟରେ ତିର୍ତ୍ତୋଲ ପୋଲିସ କୁଜଙ୍ଗ ଅତିରିକ୍ତ ତହସିଲଦାର ବ୍ୟୋମକେଶ ପ୍ରଧାନଙ୍କ ଉପସ୍ଥିତିରେ ଜବତ କରିଛି। ଜବତ ହୋଇଥିବା ବାଣଗୁଡ଼ିକ ମଧ୍ୟରୁ ୩୦ଟି ବଡ଼ କାର୍ଟୁନ୍ ହୋଇଥିବା ବେଳେ ୧୦ଟି ଛୋଟ କାର୍ଟୁନ୍ ରହିଛି। ବିଭିନ୍ନ ବାଣ ମଧ୍ୟରେ ଫୁଲଝରି, ଫୋଟକା, ରକେଟ୍, ବୋମା, ଚକ୍ରୀ, ରଙ୍ଗୋଲି, ଝର୍ଝରି ଆଦି ୧୬୯ ପ୍ରକାରର ବାଣ ଜବତ କରାଯିବା ସହିତ ଉକ୍ତ ଦୋକାନକୁ ସିଲ୍ କରାଯାଇଛି।

ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି। ଏହି ବାଣଗୁଡ଼ିକୁ ବେଆଇନ ଭାବେ ମହଜୁଦ ରଖିଥିବା ବାଣ ଦୋକାନୀର ନାମ ଶିବାଶିଷ ବସନ୍ତିଆ (ଶିବୁ), ପିତା- ମାଗୁଣି ବସନ୍ତିଆ, ଗ୍ରାମ- ତାଳପଡ଼ା, ସାଇଲୋ ପଞ୍ଚାୟତ, ଥାନା- ତିର୍ତ୍ତୋଲ ବୋଲି ଜଣାପଡ଼ିଛି। ସେ ଗଙ୍ଗାଧରପୁର ଗ୍ରାମର ଜଗନ୍ନାଥ ମନ୍ଦିର ନିକଟସ୍ଥ ଦୋକାନରେ ଏହି ବାଣଗୁଡ଼ିକୁ ବିକ୍ରି ପାଇଁ ମହଜୁଦ ରଖିଥିବା ଜଣାପଡ଼ିଥିଲା।

ତେବେ ପୋଲିସ ଚଢ଼ାଉ କରି ବାଣ ଜବତ କରିବା ସମୟରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ ସେ ଧରାପଡ଼ି ନାହାନ୍ତି। ଏହି ଘଟଣାରେ ତିର୍ତ୍ତୋଲ ପୋଲିସ କେସ୍ ନଂ- ୪୭୬, ତା. ୨୮/୧୦/୨୦୨୬ ରିଖରେ BNSର ଧାରା ୨୮୭/୨୮୮, ଏକ୍ସପ୍ଲୋସିଭ୍ ଆକ୍ଟ ୧୮୮୪ର ଧାରା ୯B(୧)(a) ଏବଂ ଏକ୍ସପ୍ଲୋସିଭ୍ ସବଷ୍ଟାନ୍ସ ଆକ୍ଟ ୧୯୦୮ର ଧାରା ୩, ୪ ଓ ୫(a) ଅନୁସାରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

Leave a Reply

Your email address will not be published. Required fields are marked *