ଝଙ୍କଡ଼ : ଐତିହାସିକ ଝଙ୍କଡ଼ ସାରଳା ପୀଠକୁ ସଂଯୋଗ କରୁଥିବା ଦେବେନ୍ଦ୍ର-ବେଗୁନିଆ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଯାତାୟାତରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଡିହସାହିଠାରୁ ଆରମ୍ଭ ହୋଇ ଦଳିଆ ଛକ ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ଲମ୍ବ ଏହି ରାସ୍ତା ଚଷାପଡ଼ା, ପଟିଲୋ, କଟରା, ଗୋପାଳପୁର, କୋଷ୍ଠି, ମଲ୍ଲିକାପୁର ତଥା କନକପୁର ପଞ୍ଚାୟତ ଦେଇ ମା’ ଶାରଳାଙ୍କ ମନ୍ଦିରକୁ ଯାଇଛି। ଏଥିରୁ ଚଷାପଡ଼ାଠାରୁ ଦଳିଆ ଛକ ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର ତିର୍ତ୍ତୋଲ ବ୍ଲକ ଅଧୀନରେ ଥିବା ବେଳେ ଅବଶିଷ୍ଟ ୩ କିଲୋମିଟର ଜଗତସିଂହପୁର ବ୍ଲକ ଅନ୍ତର୍ଭୁକ୍ତ। ଦୁଇଟି ବ୍ଲକର ସୀମା ଭିତରେ ରହିଥିବାରୁ ପ୍ରଶାସନିକ ସ୍ତରରେ ଏହା ସର୍ବଦା ଅଣଦେଖାର ଶିକାର ହୋଇଆସୁଛି।
୨୦୦୭ ମସିହାରେ ନବୀକରଣ କରାଯାଇ ଏହାକୁ ୧୦ ଫୁଟିଆ ପକ୍କା ରାସ୍ତାରେ ପରିଣତ କରାଯାଇଥିଲା। ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ମାତ୍ର ଦୁଇ-ତିନି ଥର ସାମାନ୍ୟ ମରାମତିକୁ ଛାଡ଼ିଦେଲେ କୌଣସି ସ୍ଥାୟୀ ଉନ୍ନତିକରଣ କରାଯାଇ ନାହିଁ। କେନ୍ଦ୍ରାପଡ଼ାରୁ ପୁରୀ ଯିବା ଆସିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗକାରୀ ମାର୍ଗ ହୋଇଥିବାରୁ ପ୍ରତିଦିନ ଶହ ଶହ ଯାନବାହନ ଏହି ବାଟ ଦେଇ ଚଳାଚଳ କରେ। ଏଥିସହ ଡିହସାହି, କଟରା, ମହିଳୋ, ସାରଳା, ନେହେରୁ ପଡ଼ିଆ, ଗୋପାଳପୁର ଓ ରହାମା ଭଳି ପ୍ରମୁଖ ସାପ୍ତାହିକ ହାଟ ଉପରେ ଶତାଧିକ ଗ୍ରାମର ଲୋକେ ତଥା ପନିପରିବା ବ୍ୟବସାୟୀ ନିର୍ଭର କରନ୍ତି। ପଣା ସଂକ୍ରାନ୍ତି, ମହାଷ୍ଟମୀ ଆଦି ପର୍ବପର୍ବାଣିରେ ହଜାର ହଜାର ଶ୍ରଦ୍ଧାଳୁ ଏହି ରାସ୍ତା ଦେଇ ମନ୍ଦିର ଦର୍ଶନରେ ଆସୁଥିବା ବେଳେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଦୈନନ୍ଦିନ ଏହି ବାଟରେ ଯିବା ଆସିବା କରନ୍ତି।
ବର୍ତ୍ତମାନ ଏହି ୧୫ କିଲୋମିଟର ରାସ୍ତାରେ ଶତାଧିକ ଛୋଟବଡ଼ ଖାଲଖମା ସୃଷ୍ଟି ହୋଇଛି। କେଉଁଠି ପିଚୁ ଓ ଗୋଡ଼ି ଉଠିଯାଇଛି ତ ଆଉ କେଉଁଠି ଖାଲରେ ପାଣି ଜମି ରହି ମରଣଯନ୍ତା ପାଲଟିଛି। ଫଳରେ ନିୟମିତ ଦୁର୍ଘଟଣା ଘଟୁଛି ଏବଂ ଯାତ୍ରୀମାନେ ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରୁ ନାହାନ୍ତି। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ତୁରନ୍ତ ଉଚ୍ଚମାନର ମରାମତି କରିବା ସହ ଏହାର ପ୍ରଶସ୍ତୀକରଣ କରି ୧୮ ଫୁଟରେ ପରିଣତ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ସ୍ୱାଇଁ, ସହକାରୀ ମତ୍ସ୍ୟ ଅଧିକାରୀ ମହେନ୍ଦ୍ର କୁମାର ଦାସ, ବିଜେପି ପଞ୍ଚାୟତ ପ୍ରଭାରୀ ବିକ୍ରମ ରାଉତ, ଅଜୟ କୁମାର ଦାସ, ବରିଷ୍ଠ ନାଗରିକ ରବୀନ୍ଦ୍ର କୁମାର ବିଶ୍ୱାଳ, ନିତ୍ୟାନନ୍ଦ ବିଶ୍ୱାଳ, ରାଜକିଶୋର ସ୍ୱାଇଁ, ସୁଧାଂଶୁ ନାୟକ ଓ ପବିତ୍ର କୁମାର ସ୍ୱାଇଁ ପ୍ରମୁଖ ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି।
