ସମ୍ବିଧାନ ସର୍ବୋପରି: ସିଜେଆଇଙ୍କୁ ଟାର୍ଗେଟ୍ ମାମଲାରେ କେରଳ କଂଗ୍ରେସକୁ ସୁପ୍ରିମକୋର୍ଟଙ୍କ ଅବମାନନା ନୋଟିସ୍

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ନ୍ୟାୟପାଳିକାର ସ୍ୱାଧୀନତା କୌଣସି ରାଜନୈତିକ ସୁବିଧାର ବିଷୟ ନୁହେଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ପ୍ରକାଶ କରିଛନ୍ତି। ଏହା ସହିତ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ନିଶାଣ କରି ସୋସିଆଲ ମିଡିଆରେ କରାଯାଇଥିବା ଆପତ୍ତିଜନକ ପୋଷ୍ଟକୁ ନେଇ କେରଳ କଂଗ୍ରେସ କମିଟିର ସମସ୍ତ ସଦସ୍ୟଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କରାଯାଇଛି। ଜଷ୍ଟିସ୍ ଅରବିନ୍ଦ କୁମାର ଏବଂ ଜଷ୍ଟିସ୍ ବିପୁଲ ଏମ୍. ପଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଦେଶରେ ସମ୍ବିଧାନ ହିଁ ସର୍ବୋଚ୍ଚ ଏବଂ କୌଣସି ବ୍ୟକ୍ତି କିମ୍ବା ରାଜନୈତିକ ସଂଗଠନ ଏହାଠାରୁ ଊର୍ଦ୍ଧ୍ୱରେ ନୁହନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ କୌଣସି ନ୍ୟାୟିକ ନିଷ୍ପତ୍ତିର ଗଠନମୂଳକ ସମାଲୋଚନା କରାଯାଇପାରେ, ମାତ୍ର ବାକ୍ ସ୍ୱାଧୀନତା କେବେ ହେଲେ ନ୍ୟାୟିକ କାର୍ଯ୍ୟରେ ହସ୍ତକ୍ଷେପ କରିବା କିମ୍ବା ନ୍ୟାୟାଳୟକୁ ଡରାଇବା-ଧମକାଇବାର ଢାଲ ହୋଇପାରିବ ନାହିଁ। କୌଣସି ବ୍ୟକ୍ତି ଯେତେ ବଡ଼ ପଦବୀରେ ଥାଆନ୍ତୁ ନା କାହିଁକି, ଅଦାଲତଙ୍କ କର୍ତ୍ତୃତ୍ୱ ବା ଅଥରିଟିକୁ ଦୁର୍ବଳ କରିବାର ଯେକୌଣସି ପ୍ରୟାସକୁ ଦୃଢ଼ ଭାବରେ ମୁକାବିଲା କରାଯିବା ଉଚିତ। ଖଣ୍ଡପୀଠ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କୋର୍ଟର କର୍ତ୍ତୃତ୍ୱ କୌଣସି ରାଜନୈତିକ ଅନୁମୋଦନ ଉପରେ ନିର୍ଭର କରେ ନାହିଁ, ବରଂ ଏହା ଦେଶର ଆଇନର ଶାସନ ଉପରେ ପ୍ରତିଷ୍ଠିତ। ତେଣୁ ଯେଉଁଠାରେ ନ୍ୟାୟ ପ୍ରଶାସନର ମୂଳଦୁଆ ରହିଛି, ସେଠାରେ ଆଇନ ନିଜ ବାଟରେ ନିରପେକ୍ଷ ଭାବେ କାର୍ଯ୍ୟ କରିବା ଉଚିତ।

ସର୍ବୋଚ୍ଚ ନ୍ୟାୟାଳୟ ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ ନ୍ୟାୟପାଳିକାର ସ୍ୱାଧୀନତା ରାଜନୈତିକ ଫାଇଦା କିମ୍ବା ସୁବିଧାର ବିଷୟ ନୁହେଁ। ଏହି ଗୁରୁତର ଘଟଣାରେ ସୁପ୍ରିମକୋର୍ଟ ଜଣେ ବରିଷ୍ଠ ଆଇନଜୀବୀଙ୍କୁ ‘ଆମିକସ୍ କ୍ୟୁରି’ (ଅଦାଲତଙ୍କ ବନ୍ଧୁ) ଭାବରେ ନିଯୁକ୍ତ କରିଛନ୍ତି। କୋର୍ଟ ମିତ୍ର ଏହି ମାମଲାରେ ଫୌଜଦାରୀ କିମ୍ବା ଦେୱାନୀ ଅବମାନନାର ପ୍ରାବଧାନ ଲାଗୁ ହେବ କି ନାହିଁ ତାହା ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ। ଏହା ସହିତ କୋର୍ଟ ଏହି ମାମଲାର ଉଚିତ ନ୍ୟାୟିକ ପରିଚାଳନା ନିମନ୍ତେ ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣିଙ୍କ ଠାରୁ ମଧ୍ୟ ଆଇନଗତ ସହାୟତା ଲୋଡ଼ିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୧୨ ତାରିଖରେ କଂଗ୍ରେସ କେରଳ ୟୁନିଟର ଅଫିସିଆଲ୍ ଏକ୍ସ (ପୂର୍ବର ଟ୍ୱିଟର) ଆକାଉଣ୍ଟରୁ ସିଜେଆଇଙ୍କ ଉଦ୍ଦେଶ୍ୟରେ ଏକ ଆକ୍ଷେପପୂର୍ଣ୍ଣ ପୋଷ୍ଟ ସେୟାର କରାଯାଇଥିଲା। ଉକ୍ତ ପୋଷ୍ଟରେ ଲେଖାଥିଲା, “ପ୍ରିୟ ସୂର୍ଯ୍ୟକାନ୍ତ, ଯଦି ଆଇନ ଏବଂ ଶୃଙ୍ଖଳା ରକ୍ଷା ଆପଣଙ୍କର କାର୍ଯ୍ୟ ନୁହେଁ, ତେବେ ତୁରନ୍ତ ଇସ୍ତଫା ଦିଅନ୍ତୁ; ଆମେ ଆପଣଙ୍କ ସ୍ଥାନରେ ଏପରି ବ୍ୟକ୍ତିଙ୍କୁ ଖୋଜିବୁ ଯିଏ ଏହାକୁ ସୁଚାରୁ ରୂପେ ସମ୍ଭାଳି ପାରିବେ।” ଚତୁର୍ଦ୍ଦିଗରୁ ତୀବ୍ର ସମାଲୋଚନା ପରେ ଏହି ବିବାଦୀୟ ପୋଷ୍ଟଟିକୁ ସୋସିଆଲ ମିଡିଆରୁ ହଟାଇ ଦିଆଯାଇଥିଲା। କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ ଦଳୀୟ ନେତୃତ୍ୱଙ୍କ ବିନା ସମ୍ମତି ଓ ଅନୁମୋଦନରେ ଜଣେ କର୍ମୀଙ୍କ ଦ୍ୱାରା ଏହି ପୋଷ୍ଟଟି କରାଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ଦାୟିତ୍ୱରୁ ତୁରନ୍ତ ଅନ୍ତର କରାଯାଇଛି ଏବଂ ଦଳ ପକ୍ଷରୁ ଏହି ଘଟଣା ପାଇଁ ପରବର୍ତ୍ତୀ ସମୟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଇଛି। ତଥାପି ନ୍ୟାୟପାଳିକାର ସମ୍ମାନ ଓ ଗାରିମା ରକ୍ଷା ଲାଗି ସର୍ବୋଚ୍ଚ ଅଦାଲତ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରି କଡ଼ା କାର୍ଯ୍ୟାନୁଷ୍ଠାନ ଦିଗରେ ଅଗ୍ରସର ହୋଇଛନ୍ତି।

Leave a Reply

Your email address will not be published. Required fields are marked *