କଟକ, ୦୬/୧୧: ହକି ଇଣ୍ଡିଆ ନିର୍ବାଚନ ଉପରେ ରହିତାଦେଶ (ଅନ୍ତରୀଣ ସ୍ଥଗିତାଦେଶ) ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ। ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ଥଗିତ ରହିବ। ନିର୍ବାଚନ ପ୍ରକ୍ରିୟାରୁ ଓଡ଼ିଶା ହକି ସଂଘକୁ ବାଦ୍ ଦେବା ପାଇଁ ହକି ଇଣ୍ଡିଆ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଏହା ସହିତ ହକି ଓଡ଼ିଶାର ସ୍ଥାୟୀ ସଦସ୍ୟତା ପଦ ରଦ୍ଦ କରିବା ପାଇଁ ମଧ୍ୟ ହକି ଇଣ୍ଡିଆ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ହକି ଇଣ୍ଡିଆର ଏହି କାରଣ ଦର୍ଶାଅ ନୋଟିସ୍ ଉପରେ ମଧ୍ୟ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଆସନ୍ତା ଡିସେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।
ଭାରତରେ ହକି ଖେଳର ଉନ୍ନତି, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ହକି ଇଣ୍ଡିଆକୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ, ବିଶ୍ୱ ଦରବାରରେ ଦେଶକୁ ଗୌରବାନ୍ୱିତ କରିବା ପାଇଁ ଭାରତୀୟ ହକିକୁ ଅନେକ ପ୍ରତିଭାବାନ ତାରକା ଖେଳାଳି ମଧ୍ୟ ଭେଟି ଦେଇଛି ଓଡ଼ିଶା ହକି। ଏପରିସ୍ଥଳେ ଭାରତ ସରକାରଙ୍କ ଜାତୀୟ କ୍ରୀଡ଼ା ପ୍ରଶାସନ ଆଇନ (ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ କୋଡ୍) ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାରୁ ଓଡ଼ିଶା ହକି ସଂଘକୁ ବାଦ୍ ଦେବା ସମ୍ପୂର୍ଣ୍ଣ ବେଆଇନ ଓ ଅଗଣତାନ୍ତ୍ରିକ ବୋଲି ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ ମାନ୍ୟବର ଆଡଭୋକେଟ୍ ଜେନେରାଲ। ମାମଲାର ସମସ୍ତ ଦିଗକୁ ବିଚାରକୁ ନେଇ କୋର୍ଟ ଏହି ମହତ୍ତ୍ୱପୂର୍ଣ୍ଣ ରହିତାଦେଶ ପ୍ରଦାନ କରିଛନ୍ତି।
