ସୁନ୍ଦରଗଡ଼ରେ ପାଉଁଶ ବ୍ୟବସାୟ ବିବାଦରୁ ଯୁବକଙ୍କୁ ଗୁଳି କରି ହତ୍ୟା: ୧୧ ଅଭିଯୁକ୍ତ ଗିରଫ, ଉତ୍ତେଜନା ପ୍ରକାଶ

ରାଜ୍ୟ
Spread the love

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି। ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଅଞ୍ଚଳରେ ହୋଇଥିବା ଏହି ଗୁଳିମାଡ଼ରେ ଜଣେ ନିରୀହ ଯୁବକଙ୍କର ମୃତ୍ୟୁ ଘଟିଛି। ଫ୍ଲାଏ ଆସ୍ (ପାଉଁଶ) ପରିବହନ ବ୍ୟବସାୟକୁ କେନ୍ଦ୍ର କରି ଏହି ରକ୍ତାକ୍ତ ସଂଘର୍ଷ ଓ ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ହତ୍ୟାକାଣ୍ଡର ତୀବ୍ର ପ୍ରତିବାଦ ଜଣାଇ ଉତ୍ତ୍ୟକ୍ତ ଲୋକେ ଫ୍ଲାଏଆସ୍ ଗାଡ଼ିଗୁଡ଼ିକରୁ ଟଙ୍କା ଆଦାୟ କରୁଥିବା ଘରୋଇ ସଂସ୍ଥାର କାର୍ଯ୍ୟାଳୟରେ ନିଆଁ ଲଗାଇ ଭଙ୍ଗାରୁଜା କରିବା ସହିତ ଏକ କାରକୁ ମଧ୍ୟ ଜାଳି ପାଉଁଶ କରି ଦେଇଛନ୍ତି। କେବଳ ସେତିକି ନୁହେଁ, ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦା ରାସ୍ତା ଉପରେ ମୃତଦେହ ରଖି ଟାୟାର ଜାଳି ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ।

ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ଉପସ୍ଥିତ ରହି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିବା ବେଳେ ଲୋକେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିପୂରଣ ଦାବିରେ ରାସ୍ତାରେ ଆନ୍ଦୋଳନ ଜାରି ରଖିଥିଲେ। ଅନ୍ୟପକ୍ଷରେ ଏହି ନୃଶଂସ ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ତଥା ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତ ଟିମ୍ ଗଠନ କରାଯାଇ ତନାଘନା ଉଦ୍ୟମ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସମ୍ପୃକ୍ତ ୧୧ ଜଣଙ୍କୁ ପୁଲିସ ଗିରଫ କରି ଅଟକ ରଖିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଦର୍ଲିପାଲି ଅଞ୍ଚଳର ବରୋବଗାସ୍ଥିତ ପାଉଁଶ ପୋଖରୀ (ଆସ୍ ପଣ୍ଡ)ରୁ ପାଉଁଶ ପରିବହନକୁ କେନ୍ଦ୍ର କରି ଦୁଇଟି ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଓ ବିବାଦ ଲାଗି ରହିଥିଲା। ଏହି କ୍ରମରେ ଗୁରୁବାର ଗୋଟିଏ ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହେବା ପରେ କେତେକ ଦୁର୍ବୃତ୍ତ ଯୁବକ ସୁନୀଲ ନେଟୀ ନାମକ ଜଣେ ଯୁବକଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରି ଘଟଣାସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଥିଲେ। ସନ୍ଧ୍ୟାରେ ଗୁଳିମାଡ଼ର ଶିକାର ହୋଇଥିବା ସୁନୀଲଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ସଙ୍ଗେ ସଙ୍ଗେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରି ମୃତ ଘୋଷଣା କରିଥିଲେ। ଅପରାଧୀମାନଙ୍କୁ ଧରିବା ଏବଂ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *