ଝଙ୍କଡ଼, ତା-୧୪/୧୧/୨୬: ଶିକ୍ଷା ବିଭାଗର ଗାଇଡ୍ଲାଇନ୍କୁ ବେଖାତିର କରି ମନମୁଖୀ ଭାବେ ଚାଲିଛି ବିଦ୍ୟାଳୟ। ଅଫିସକୁ ଦିଆଯାଉଥିବା ସରକାରୀ ଡାଟାରେ ୫୦ ଜଣ ଛାତ୍ରଛାତ୍ରୀଙ୍କ ନାମ ଦର୍ଶାଯାଇଥିବା ବେଳେ ମଧ୍ୟାହ୍ନ ଭୋଜନରେ ଖାଉଛନ୍ତି ମାତ୍ର ୩୦ ଜଣ ଛାତ୍ରଛାତ୍ରୀ। ପାଣିଆ ଡାଲିରେ ଭାତ ଭାସୁଥିବା ବେଳେ ଅଣ୍ଡା ବାରିରେ କାହିଁକି ଅଣ୍ଡା ଦିଆଯାଇନାହିଁ ବୋଲି ପଚାରିବା ପରେ ପିଲାଙ୍କୁ ଅଣ୍ଡା ଦିଆଯାଉଛି। ପିଲାମାନେ ଅଭିଯୋଗ କରି କହୁଛନ୍ତି ଯେ, “ସାର୍ ଆମକୁ ସ୍କୁଲରେ ଅଣ୍ଡା ଖାଇବାକୁ ଦିଅନ୍ତି ନାହିଁ, ବରଂ ଘରକୁ ନେବାକୁ ଦେଇଥାନ୍ତି।” ସ୍କୁଲର ଏପରି ଅଭାବନୀୟ ଘଟଣା ବିଷୟରେ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, “ଆମ ସି.ଆର.ସି.ସି ମନା କରିଛନ୍ତି କାହାରିକୁ କିଛି ନକହିବା ପାଇଁ।” ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଖୋଦ୍ ପ୍ରଧାନଶିକ୍ଷକ ବାବାଜୀ ଚରଣ ପ୍ରଧାନ।
ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀଙ୍କ ଅଧୀନସ୍ଥ କନିମୂଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଖବର ଅନୁସାରେ, ଦୀର୍ଘ ଦିନରୁ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କାର୍ଯ୍ୟରେ ଏଭଳି ଅନିୟମିତତା ଦେଖିବାକୁ ମିଳୁଛି। ଭୁଲ ସରକାରୀ ଡାଟା ଦାଖଲ କରି ମଧ୍ୟାହ୍ନ ଭୋଜନରେ ହାତସଫେଇ କାରବାର ଚାଲିଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ଗତ ୧୧/୧୧/୨୬ ତାରିଖ ବୁଧବାର ଦିନ ମଧ୍ୟାହ୍ନ ଭୋଜନ ସମୟରେ ଏହାର ବାସ୍ତବ ଚିତ୍ର ସାମ୍ନାକୁ ଆସିଥିଲା। ସେଦିନ ମାତ୍ର ୩୦ ଜଣ ଛାତ୍ରଛାତ୍ରୀ ଭୋଜନରେ ବସିଥିଲେ, କିନ୍ତୁ ପ୍ରଧାନଶିକ୍ଷକ କହିଥିଲେ ଯେ ୫୦ ଜଣଙ୍କ ଉପସ୍ଥାନ ରହିଛି। ଅଣ୍ଡା ବାରି ଥିବା ସତ୍ତ୍ୱେ ପିଲାଙ୍କ ଥାଳିରେ ଅଣ୍ଡା ନଥିବାର ଦେଖାଯାଇଥିଲା। ପିଲାଙ୍କୁ ଅଣ୍ଡା ବିଷୟରେ ପଚାରିବାରୁ ପିଲାମାନେ କହିଥିଲେ ଯେ, ସାର୍ ଅଣ୍ଡା ଖାଇବାକୁ ଦିଅନ୍ତି ନାହିଁ, ଘରକୁ ନେବାକୁ ଦିଅନ୍ତି। ଏପରି କାହିଁକି ହେଉଛି ଜାଣିବାକୁ ଚାହିଁବାରୁ ପ୍ରଧାନଶିକ୍ଷକ କହିଥିଲେ, ଆମ ସି.ଆର.ସି.ସି ମନା କରିଛନ୍ତି, ଆମେ ଏସବୁ ବିଷୟରେ କାହାରିକୁ କିଛି କହିବୁ ନାହିଁ।
ଏହି ଘଟଣା ସମ୍ପର୍କରେ ସି.ଆର.ସି.ସିଙ୍କୁ ଫୋନ୍ରେ ଯୋଗାଯୋଗ କରିବାରୁ ସେ ଓଲଟା ପ୍ରଶ୍ନ କରି କହିଥିଲେ ଯେ, “ମୋତେ ନ ପଚାରି ମୋ କ୍ଲଷ୍ଟରକୁ ଯାଇଛନ୍ତି କାହିଁକି? ଯେତେବେଳେ ଯାଇଛନ୍ତି ଯାହା କରିବାର କଥା କରନ୍ତୁ, ମୋର କିଛି କହିବାର ନାହିଁ।” ତେବେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ପ୍ରଧାନଶିକ୍ଷକ ମହାଶୟଙ୍କୁ ଭୁଲ ଡାଟା ଦେଇ ପିଲାଙ୍କ ମଧ୍ୟାହ୍ନ ଭୋଜନକୁ ଲୁଟିବା ପାଇଁ ନିର୍ଦ୍ଦେଶ ଦେଇଛି କିଏ? ସରକାର ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପୁଷ୍ଟିସାଧନ ପାଇଁ ଯୋଗାଇ ଦେଉଥିବା ଖାଦ୍ୟକୁ ପ୍ରଧାନଶିକ୍ଷକ କାହା ସାହସରେ ହଡ଼ପ କରୁଛନ୍ତି? ଏହି ବିଦ୍ୟାଳୟର ବ୍ୟବସ୍ଥା “ଖଜୁରୀ ଗଛର ଗୁଣ” ନ୍ୟାୟରେ କାର୍ଯ୍ୟ କରୁନାହିଁ ତ? ବିଦ୍ୟାଳୟର ଅନିୟମିତତା ବିଷୟରେ ସି.ଆର.ସି.ସିଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ସନ୍ଦେହ ସୃଷ୍ଟି କରୁନାହିଁ କି? ମାନ୍ୟବର ଜିଲ୍ଲାପାଳ ଏହି ବିଷୟରେ ତୁରନ୍ତ ତଦାରଖ କରି ସମ୍ପୃକ୍ତ ଅଧିକାରୀ ଓ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।
