ସମ୍ଭାବ୍ୟ ବାତ୍ୟା ‘ଅକଭାନ’ ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଜୋରଦାର ପ୍ରସ୍ତୁତି; ୧୭ରୁ ଆରମ୍ଭ ହେବ ଲୋକଙ୍କ ସ୍ଥାନାନ୍ତର

ରାଜ୍ୟ
Spread the love

ଛତ୍ରପୁର: ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ ଘନ ଘନ ବୈଠକ କରିଛନ୍ତି। ରବିବାର ରାତିରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ଅକଭାନ’ର ମୁକାବିଲା ପାଇଁ ସମସ୍ତ ବିଭାଗର ଅଧିକାରୀମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ନଦୀ କୂଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ୧୭ ତାରିଖ ଦିନ ସେମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ କହିଛନ୍ତି। ଏହା ସହିତ ଉକ୍ତ ଆଶ୍ରୟସ୍ଥଳୀଗୁଡ଼ିକରେ ରାସନ ସାମଗ୍ରୀ, ଶୁଖିଲା ଖାଦ୍ୟ ସମେତ ରନ୍ଧା ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ବାତ୍ୟା ସମୟରେ ଯେଉଁସବୁ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ସେହି ଅଞ୍ଚଳର ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ବିଡିଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିବାକୁ କୁହାଯାଇଛି। ଗତ ‘ଅର୍ଣ୍ଣବ’ ବାତ୍ୟାରେ ଯେଉଁ ଯେଉଁ ସ୍ଥାନରେ ଭୂସ୍ଖଳନ ହୋଇଥିଲା, ସେହି ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇଛି ଏବଂ ଆସନ୍ତା ୧୭ ତାରିଖରେ ସେଠାକାର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେହିପରି ଚାଷୀମାନଙ୍କ ଫସଲକୁ ସୁରକ୍ଷା ଦେବା ପାଇଁ ସମସ୍ତ ସ୍ଥାନରେ କୃଷି ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଯେଉଁ ଅଞ୍ଚଳରେ ଧାନଗୁଡ଼ିକ ପାଚି ଯାଇଛି, ସେହି ସ୍ଥାନରେ ତୁରନ୍ତ ସେଗୁଡ଼ିକର ଅମଳ ଓ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। କୃଷି ମିତ୍ରଙ୍କ ସମେତ କୃଷି ବିଭାଗର ଅଧିକାରୀମାନେ ଚାଷୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି।

ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଆଜି ବିଭିନ୍ନ ନଦୀ କୂଳିଆ ଅଞ୍ଚଳ ପରିଦର୍ଶନ କରି ଋଷିକୂଲ୍ୟା ନଦୀର ଯେଉଁ ଯେଉଁ ସ୍ଥାନରେ ନଦୀ ହୁଡ଼ାଗୁଡ଼ିକ ଭାଙ୍ଗିଥିଲା, ସେଗୁଡ଼ିକୁ ବୁଲି ଦେଖିଥିଲେ। ଯେଉଁଠି ନଦୀ ହୁଡ଼ା ଭାଙ୍ଗିଥିଲା, ସେହି ସ୍ଥାନଗୁଡ଼ିକରେ ବାଲିବସ୍ତା ଓ ମାଟି ପକାଇ ଅସ୍ଥାୟୀ ଭାବେ ମରାମତି କରାଯାଇଛି। ତାହାର ସ୍ଥାୟୀ ମରାମତି ପାଇଁ ଡିପିଆର (DPR) ପ୍ରସ୍ତୁତ କରାଯାଇଛି ଏବଂ ସେଗୁଡ଼ିକର ନିର୍ମାଣ କାମ ଖୁବ୍ ଶୀଘ୍ର ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ଗଞ୍ଜାମ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *