ତିନି ଦିନିଆ ଭାରତ ଗସ୍ତରେ ଆସିବେ ବ୍ରିଟେନର ପ୍ରିନ୍ସ ୱିଲିୟମ୍ ଓ କେଟ୍ ମିଡଲଟନ୍; ମୁମ୍ବାଇରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ବ୍ରିଟେନର ରାଜକୀୟ ପରିବାର ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିବେ। ବ୍ରିଟେନର ପ୍ରିନ୍ସ ୱିଲିୟମ୍ ଓ ତାଙ୍କ ପତ୍ନୀ କେଟ୍ ମିଡଲଟନ୍ ଆସନ୍ତା ନଭେମ୍ବର ୧୬ ତାରିଖରେ ତିନି ଦିନିଆ ଗସ୍ତରେ ମୁମ୍ବାଇ ପହଞ୍ଚିବେ। ୨୦୨୨ ମସିହା ପରେ ଏହି ରାଜକୀୟ ଦମ୍ପତିଙ୍କର ଏହା ପ୍ରଥମ ବିଦେଶ ଗସ୍ତ ଅଟେ। ବିଶେଷ କରି ୨୦୨୪ ମସିହାରେ କେଟ୍ ମିଡଲଟନ୍ କ୍ୟାନ୍ସରରେ ପୀଡ଼ିତ ହେବା ପରେ ଏହା ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ରାଜକୀୟ ଗସ୍ତ।

ସୂଚନାଯୋଗ୍ୟ ଯେ, କେନସିଂଟନ ପ୍ୟାଲେସ୍ ପକ୍ଷରୁ ନଭେମ୍ବର ୧୪ ତାରିଖରେ ଏହି ଗସ୍ତ ବିଷୟରେ ଆନୁଷ୍ଠାନିକ ସୂଚନା ଦିଆଯାଇଛି। ପ୍ୟାଲେସ୍‌ର ସୂଚନା ଅନୁଯାୟୀ, ପ୍ରିନ୍ସ ୱିଲିୟମ୍ ଓ କେଟ୍ ମିଡଲଟନ୍ ନଭେମ୍ବର ୧୭ ତାରିଖରେ ମୁମ୍ବାଇଠାରେ ଆୟୋଜିତ ହେବାକୁ ଥିବା ସମ୍ମାନଜନକ ‘ଆର୍ଥସଟ୍ ପ୍ରାଇଜ୍’ (Earthshot Prize) ପୁରସ୍କାର ବିତରଣ ସମାରୋହରେ ଯୋଗ ଦେବେ। ଏହା ବାଦ୍ ପରିବେଶ ସୁରକ୍ଷା ପାଇଁ ଜାରି ରହିଥିବା ନୂଆ ପ୍ରୟାସ ଏବଂ ଭାରତ-ବ୍ରିଟେନ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ସାମିଲ ହେବେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂଆ ପ୍ରଯୁକ୍ତିବିଦ୍ୟା, ପରିବେଶ ସୁରକ୍ଷା, ଯୁବପିଢ଼ିଙ୍କ ନେତୃତ୍ୱ ଓ ଭାରତ-ବ୍ରିଟେନ ମଧ୍ୟରେ ଦୀର୍ଘ ସମୟରୁ ଚାଲି ଆସିଥିବା ମଧୁର ସମ୍ପର୍କକୁ ଆଗକୁ ବଢ଼ାଇବା। ଏହି ଗସ୍ତ ଅବସରରେ ପ୍ରିନ୍ସ ୱିଲିୟମ୍ ଓ କେଟ୍ ମିଡଲଟନ୍ ଭାରତୀୟ କ୍ରିକେଟ୍, ସିନେମା ଓ ଫ୍ୟାଶନ ଜଗତ ସହ ଜଡ଼ିତ ଅନେକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇ ପାରନ୍ତି।

୨୦୨୨ ଡିସେମ୍ବର ପରେ କେଟ୍ ମିଡଲଟନ୍‌ଙ୍କର ଏହା ପ୍ରଥମ ବଡ଼ ରାଜକୀୟ ଗସ୍ତ। ଏହା ପୂର୍ବରୁ ସେ ପ୍ରିନ୍ସ ୱିଲିୟମ୍‌ଙ୍କ ସହ ଆମେରିକାର ବୋଷ୍ଟନ ସହର ଗସ୍ତରେ ଯାଇଥିଲେ। ହେଲେ ଏହା ପରେ ସ୍ୱାସ୍ଥ୍ୟଗତ କାରଣରୁ ସିଙ୍ଗାପୁର, କେପ୍‌ଟାଉନ୍ ଓ ରିଓ ଡି ଜେନେରିଓରେ ଆୟୋଜିତ ରାଜକୀୟ ସମାରୋହରେ ସେ ଯୋଗ ଦେଇ ପାରି ନ ଥିଲେ। କେଟ୍ ମିଡଲଟନ୍ ୨୦୨୪ ଜାନୁଆରୀରେ ପେଟର ସର୍ଜରୀ କରାଇଥିଲେ। ଏହା ପରେ ସେହି ବର୍ଷ ମାର୍ଚ୍ଚ ମାସରେ ସେ କ୍ୟାନ୍ସରରେ ପୀଡ଼ିତ ଥିବା ନେଇ ସୂଚନା ଦେଇଥିଲେ। ଚିକିତ୍ସା ପାଇଁ ସେ କିମୋଥେରାପି କରାଇଥିଲେ ଏବଂ ଏହି ସମୟରେ ସମସ୍ତ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ପରବର୍ତ୍ତୀ ସମୟରେ ଧୀରେ ଧୀରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାରେ ଲାଗିଥିଲେ ଏବଂ ଏବେ ପୁଣିଥରେ ରାଜକୀୟ ଦାୟିତ୍ୱ ନିର୍ବାହ କରିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *